କଣ୍ଟାବାଞ୍ଜି ବଧୂ ହତ୍ୟା ଘଟଣା: ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ସ୍ୱାମୀ ଓ ଶାଶୁ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ୱାର୍ଡ ନମ୍ବର ୫ ବାସିନ୍ଦା ସୁରେଶ ଘିବେଲାଙ୍କ ଝିଅ ପିଙ୍କିଙ୍କୁ ଶାଶୁ ଘର ଲୋକ ହତ୍ୟା ଘଟଣାରେ ଅଭିଯୁକ୍ତ ଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ । ବଧୂ ହତ୍ୟା ମାମଲାରେ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ସ୍ୱାମୀ ଓ ଶାଶୁ। ଏଥିସହ ସେମାନଙ୍କୁ ୧୫ ହଜାର ଟଙ୍କା ଜରିମାନା କରାଯାଇଛି।

ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଡିଜେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ ଦଣ୍ଡ ପାଇଥିବା ଏହି ଦୁଇ ଦୋଷୀ ହେଲେ କଣ୍ଟାବାଞ୍ଜିର ୮ ନମ୍ବର ୱାର୍ଡର ପୂର୍ଣ୍ଣ ବଗର୍ତ୍ତି ଓ ତାଙ୍କ ମା’ ଲାଲଦେଇ ବଗର୍ତ୍ତି।

ସୂଚନା ମୁତାବକ, କଣ୍ଟାବାଞ୍ଜିର ୱାର୍ଡ ନମ୍ବର ୫ ବାସିନ୍ଦା ସୁରେଶ ଘିବେଲାଙ୍କ ଝିଅ ପିଙ୍କିଙ୍କୁ ପୂର୍ଣ୍ଣ ବଗର୍ତ୍ତି ବିବାହ କରିଥିଲେ l ବିବାହର କିଛିଦିନ ପରେ ପାରିବାରିକ କଳହ ଅଶାନ୍ତିର ଝଡ଼ ହୋଇ ଆସିଥିଲା। ୨୯ ନଭେମ୍ବର ୨୦୧୧ରେ ପିଙ୍କି ଆତ୍ମହତ୍ୟା କରିଥିବା ନେଇ ପୂର୍ଣ୍ଣ ଖବର ଦେବା ପରେ ସୁରେଶ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପା ସୁରେଶ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୁଲିସ ଘଟଣାର ତଦନ୍ତ କରି ପିଙ୍କିଙ୍କ ସ୍ୱାମୀ ଓ ଶାଶୁଙ୍କୁ ଗିରଫ କରିଥିଲେ l ଦୀର୍ଘ ୧୦ ବର୍ଷ ଧରି କୋର୍ଟରେ ମାମଲା ଚାଲିବା ପରେ ଆଜି ଶେଷ ଶୁଣାଣି ହୋଇଥିଲା।

ତଥ୍ୟ, ପ୍ରମାଣ ଓ ସାକ୍ଷୀ ଆଧାରରେ କୋର୍ଟ ସ୍ୱାମୀ ପୂର୍ଣ୍ଣ ଓ ଶାଶୁ ଲାଲଦେଇଙ୍କୁ ଜେଲ୍ ସହ ଜରିମାନା ଆଦେଶ କରିଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ସରକାର ଓକିଲ ପ୍ରମୋଦ କୁମାର ପାଣିଗ୍ରାହୀ ମାମଲା ପରିଚାଳନା କରିଥିଲେ ।

Related Posts