କେଜରିୱାଲ୍‌ କହିଲେ, ଭାରତ ବିରୋଧରେ ଯେଉଁ କାମ ପାକିସ୍ତାନ କରିପାରିଲାନି, ତାହା ମୋଦି କରିଦେଖାଇଲେ

କୋଲକାତାରେ ମମତାଙ୍କ ମେଗା ସୋ, 41 ବର୍ଷ ପରେ ବିରୋଧୀଙ୍କ ସବୁଠାରୁ ବଡ଼ ଏକଜୁଟତା

2019ର ଲୋକସଭା ନିର୍ବାଚନ ଜିତିବାକୁ ବିଜେପି ମନ୍ଦିରକୁ ନେଇ କରିବରୁ-ଲଢ଼ିବୁ କରୁଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ଶନିବାର 20ଟି ଦଳର ନେତା ବିଜେପି ବିରୋଧରେ କୋଲକାତାରେ ଲଢ଼େଇର ଆହ୍ବାନ ଦେଲେ ।

ମମତା ବାନାର୍ଜୀ କହିଲେ ଏଥର ବିଜେପି 125 ଆସନ ଭିତରେ ସୀମିତ ହୋଇଯିବ । 41 ବର୍ଷ ପରେ କୋଲକାତାରେ ହୋଇଛି ବିରୋଧୀଙ୍କର ସବୁଠାରୁ ବଡ଼ ମେଳି । ଏହାକୁ ବିଜେପି ବିରୋଧୀଙ୍କ ଭୟ ବୋଲି କହିଛି । 1977 ମସିହାରେ ଜ୍ୟୋତି ବସୁ କୋଲକାତାରେ କଗ୍ରେସ ବିରୋଧରେ ଏମିତି ହିଁ ବିଗୁଲ ବଜାଇଥିଲେ ।

ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ କହିଲେ, ଭାରତ ବିରୋଧରେ ଯେଉଁ କାମ ପାକିସ୍ତାନ କରିପାରିଲା ନାହିଁ । ସେହି କାମ ମୋଦି 5 ବର୍ଷରେ କରିଦେଲେ । କେଜରିୱାଲ୍‌ କହିଲେ ନରେନ୍ଦ୍ର ମୋଦି ଓ ଅମିତ୍‌ ଶାହାଙ୍କ ଯୋଡ଼ି ଦେଶର ଅବସ୍ଥା ଖରାପ କରିଦେଲେ । ଏବେ ଦେଶର ଯୁବବର୍ଗ ବ୍ୟତିବ୍ୟସ୍ତ, ସେମାନଙ୍କ ପାଖରେ ଚାକିରି ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାକିରି ନାଁରେ ମିଛ କହି ଲୋକଙ୍କୁ ଧୋକା ଦେଲେ । ଗତ 70 ବର୍ଷରେ ପାକିସ୍ତାନର ସ୍ବପ୍ନ ଥିଲା ଭାରତକୁ ଭାଗ ଭାଗ କରିବା । କିନ୍ତୁ ପାକିସ୍ତାନ ଯାହା 70 ବର୍ଷରେ କରିପାରିଲାନି, ତାହା ମୋଦି ଓ ଅମିତ୍‌ ଶାହା 5 ବର୍ଷରେ କରିଦେଲେ । ଏମାନେ ହିନ୍ଦୁ-ମୁସଲମାନଙ୍କୁ ଲଢ଼େଇ ଦେଲେ । ଯେ କୌଣସି ମତେ ଏମାନଙ୍କୁ କେନ୍ଦ୍ରରୁ ଉପାଡ଼ି ଫିଙ୍ଗିବାକୁ ହେବ ।

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଲେ ଯେ ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସାରା ଦେଶକୁ ଯିବ । ଲୋକେ ଭାବୁଛନ୍ତି ଆମର ମେଣ୍ଟ ହେବ ନାହିଁ । କିନ୍ତୁ ମେଣ୍ଟ ହୋଇଗଲା ।

Related Posts