ଲାକ୍ଷାଦ୍ଵୀପ ପ୍ରଶାସକଙ୍କ ୨ଟି ବିବାଦୀୟ ଆଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କେରଳ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲାକ୍ଷାଦ୍ଵୀପ ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କ ଦ୍ବାରା ଅଣାଯାଇଥିବା ବିବାଦୀୟ ଆଇନକୁ ନେଇ ବିବାଦ ଜୋର ଧରିଥିବା ବେଳେ କେରଳ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ଲାକ୍ଷାଦ୍ଵୀପ ପ୍ରଶାସକଙ୍କ ଦ୍ବାରା ଲାଗୁ ହୋଇଥିବା ଦୁଇଟି ବିବାଦୀୟ ଆଦେଶ ଉପରେ ଅନ୍ତରୀଣ ରୋକ ଲଗାଇ ଦେଇଛନ୍ତି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ଦ୍ବାରା ଦୁଗ୍ଧ ଚାଷ ବନ୍ଦ କରିବା ଏବଂ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ନନ୍ ଭେଜ୍ ଖାଦ୍ୟ ହଟାଇବା ଆଦେଶ ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । କୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ କାଉଣ୍ଟର ଆଫିଡେଭିଟ୍ ଦାଖଲ ନହୋଇଛି ସେ ପର୍ଯ୍ୟନ୍ତ ଏହି ଦୁଇଟି ନିର୍ଦ୍ଦେଶ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ନୁହେଁ। କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ପୁନର୍ବାର ଏହି ଆବେଦନ ଉପରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ ଲାକ୍ଷାଦ୍ଵୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ସ୍ଥାନୀୟ ଲୋକ ଜୋରଦାର ବିରୋଧ କରୁଛନ୍ତି। ଫେବୃଆରୀ 25 ରେ, ପଶୁ ସଂରକ୍ଷଣ ନିୟମାବଳୀ 2021 ଅନୁଯାୟୀ ଗୋମାଂସ ଦ୍ରବ୍ୟର ହତ୍ୟା, ପରିବହନ ଏବଂ କିଣାବିକା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହାକୁ ନେଇ ଲାକ୍ଷାଦ୍ଵୀପ ଜନତା ଏହାର ଘୋର ବିରୋଧ କରିଥିଲେ। ଗୁଜୁରାଟର ନରେନ୍ଦ୍ର ମୋଦୀ ସରକାରରେ ଗୃହମନ୍ତ୍ରୀ ଥିବା ପ୍ରଫୁଲ୍ଲ ପଟେଲଙ୍କୁ 5 ଡିସେମ୍ବର 2020 ରେ ଲାକ୍ଷାଦ୍ଵୀପ ଦାୟିତ୍ୱ ଦିଆଯାଇଥିଲା। ଏହି କେନ୍ଦ୍ର ଶାସିତ ପ୍ରଦେଶରେ ମଧ୍ୟାହ୍ନ ଭୋଜନରେ ଆମିଷ ଓ ସ୍ଥାନୀୟ ଲୋକଙ୍କ ଜୀବିକା ଦୁଗ୍ଧ ଚାଷ ମଧ୍ୟ ବନ୍ଦ କରି ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରଫୁଲ୍ଲ ପଟେଲ ଲାକ୍ଷାଦ୍ଵୀପର ଦାୟିତ୍ବ ନେବା ପର ଠାରୁ ସ୍ଥାନୀୟ ଲୋକେ ତାଙ୍କର ନିଷ୍ପତ୍ତିକୁ ଘୋର ବିରୋଧ କରୁଛନ୍ତି। ବିଭିନ୍ନ ରାଜନୈତିକ ଦଳ ସାଙ୍ଗକୁ ବିଜେପିର କିଛି ନେତା ମଧ୍ୟ ପଟେଲଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି।

Related Posts