କେରଳରେ ଟୁରିଷ୍ଟ ବସ୍ ସହ ଧକ୍କା ହେଲା ପରିବହନ ନିଗମର ବସ୍, ୫ ଛାତ୍ରଛାତ୍ରୀଙ୍କ ସମେତ ୯ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେରଳର ପଲକ୍କଡ ଜିଲ୍ଲାରେ ଦୁଇଟି ବସ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି। ଯାହାଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପଲକ୍କଡ ଜିଲ୍ଲାର ୱଡକନ୍ଚେରୀରେ ଘଟିଛି। ଏନେଇ ରାଜ୍ୟର ମନ୍ତ୍ରୀ ଏମ.ବି ବ୍ରଜେଶ କହିଛନ୍ତି ଯେ, ପଲକ୍କଡ ଜିଲ୍ଲାର ୱଡକନ୍ଚେରୀ ଠାରେ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍ ଏକ ଟୁରିଷ୍ଟ ବସ୍ ସହିତ ଭୟଙ୍କର ଦୁର୍ଘଟଣା ହୋଇଛି। ଫଳରେ ୫ଜଣ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪୦ରୁ ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି।

ତେବେ ବୁଧବାର ରାତିରେ ୱଡକନ୍ଚେରୀ ନିକଟ ମଙ୍ଗଲମ୍ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍ ପଛରୁ ଏକ କେଏସଆରଟିସି ବସ୍ ଧକ୍କା ମାରିଥିଲା। ଧକ୍କା ହେବା ପରେ ବସଟି ଜଳାଶୟରେ ଖସିପଡିଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ପ୍ରାୟ ୪୦ ଆହତଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି।

ବୁଧବାର ରାତି ପ୍ରାୟ ୧୧.୩୦ ସମୟରେ ଜାତୀୟ ରାଜପଥ ୫୪୪ ରେ ଏହି ଦୁର୍ଘଟଣା ଘଟିଛି। ଏହି ଟୁରିଷ୍ଟ ବସ୍ ଏର୍ନାକୁଲମର ବେସିଲିଓସ୍ ବିଦ୍ୟାନିକେତନ ସିନିୟର ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଓଟି ଆଡକୁ ଯାଉଥିଲା। କେଏସଆରଟିସି ସୁପରଫାଷ୍ଟ ବସ୍ କୋଟାର୍କକାରାରୁ କୋଏମ୍ବାଟୁର ଯାଉଥିଲା। ଉଭୟଙ୍କ ଧକ୍କା ହେତୁ ଏହି ଦୁର୍ଘଟଣା ଘଟିଛି।

Related Posts