ବିରୋଧୀ ମେଣ୍ଟକୁ ନେଇ ପୁଣି ଚର୍ଚ୍ଚା, ନୀତିଶ ଓ ତେଜସ୍ୱୀଙ୍କୁ ଭେଟିଲେ କେସିଆର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋରଧରିଛି। କଂଗ୍ରେସକୁ ବାଦ ଦେଇ ବିଜେପି ବିରୋଧରେ ଗୋଟିଏ ମେଣ୍ଟ ଗଠନ ପାଇଁ ଚାଲିଥିବା ପ୍ରୟାସ ଆଜି ଆଉ ପାଦେ ଆଗେଇଛି। ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପାଟନା ଆସି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ସେମାନେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି। ପୂର୍ବରୁ କେସିଆର ବିରୋଧୀ ମେଣ୍ଟକୁ ଏକାଠି ହେବା ଦରକାର ବୋଲି ମନ୍ତବ୍ୟ ଦେଇଥିଲେ। ନୀତୀଶ କୁମାର ମଧ୍ୟ ବିଜେପି ଠାରୁ ଅଲଗା ହେବା ପରେ ସମାନ କଥା କହିଥିଲେ। ତେଣୁ ଆଜି ସେମାନଙ୍କ ଭେଟଘାଟ ନୂଆ ରାଜନୀତିକ ଚର୍ଚ୍ଚାକୁ ଖୋରାଗ ଯୋଗାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସାକ୍ଷାତକାର ବହୁ ଗୁରୁତ୍ଵ ରଖୁଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଆଜି ଆସି ବିହାରରେ ପହଞ୍ଚିଥିଲେ। ଏହାପରେ ସେ ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ସହିଦ ହୋଇଥିବା ୧୯ ଜଣ ଭାରତୀୟ ଯବାନଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ଦେଇଥିଲେ। ପରେ ସେ ପାଟନା ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି।

Related Posts