“ଦୁଇ ଦିବାସ୍ବପ୍ନ ଦେଖୁଥିବା ନେତା ପରସ୍ପରକୁ ସାକ୍ଷାତ କରୁଛନ୍ତି”; ନୀତିଶ-କେସିଆର ଭେଟଘାଟକୁ ନେଇ ସୁଶୀଲ ମୋଦୀଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ବିହାରର ରାଜଧାନୀ ପାଟନା ପହଞ୍ଚିଛନ୍ତି। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟ ନେଇ ଭାଜପା ସାଂସଦ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ଦୁଇ ଦିବାସ୍ବପ୍ନ ଦେଖୁଥିବା ନେତାଙ୍କ ସାକ୍ଷାତ।ଉଭୟ ନେତା ନିଜ ନିଜ ରାଜ୍ୟରେ ଦିନକୁ ଦିନ ଜନ ସମର୍ଥନର ଆଧାର ହରାଉଛନ୍ତି। ସେପଟେ କିନ୍ତୁ ସେମାନେ ପ୍ରଧାନମନ୍ତ୍ରୀ ହେବାକୁ ଦିନରେ ସ୍ବପ୍ନ ଦେଖୁଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସୁଶୀଲ ପ୍ରକାଶ କରିଛନ୍ତି ଯେ, ଏହି ଦୁଇ ନେତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ କୌଣସି ସ୍ଥିତି ହିଁ ନାହିଁ। ସେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ବିରୋଧୀ ଏକତାର ସର୍ବଶେଷ କମେଡି ଶୋ ବୋଲି କହିଛନ୍ତି।

ତେବେ ନିକଟରେ ନୀତୀଶ କୁମାର ଭାଜପାର ହାତ ଛାଡିଥିଲେ। ଏହାପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), କଂଗ୍ରେସ ଏବଂ ବାମ ଦଳ ସହ ହାତ ମିଳାଇ ରାଜ୍ୟରେ ମହାମେଣ୍ଟ ସରକାର ଗଠନ କରିଥିଲେ। ଏହି ରାଜନୈତିକ ଓଲଟପାଲଟକୁ ଭାଜପା ଜନସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା ଏବଂ ଜନାଦେଶକୁ ଅପମାନ ବୋଲି କହିଛି। ତେବେ ଏସବୁ ଭିତରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଭେଟଘାଟ ଆଗାମୀ ଦିନରେ ରାଷ୍ଟ୍ରୀୟ ରାଜନୀତିରେ କଣ ଫରକ୍ ପକାଉଛି ତାହା ଦେଖିବକୁ ବାକି ରହିଲା।

Related Posts