ବିହାରରେ ନୀତିଶଙ୍କ ସହ ଗୋଟିଏ ମଞ୍ଚରୁ “ବିଜେପି ମୁକ୍ତ ଭାରତ” ଆହ୍ବାନ ଦେଲେ କେସିଆର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ବିହାର ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ବିଜେପିକୁ କଡା ସମାଲୋଚନା କରିଛନ୍ତି। ବିଜେପି ସବୁବେଳେ କଂଗ୍ରେସ ମୁକ୍ତ ଭାରତ ନାରା ଦେଉଥିବା ବେଳ କେସିଆର ବିଜେପି ମୁକ୍ତ ଭାରତ ଚାହୁଁଥିବା କହିଛନ୍ତି। ଏହି ସମୟରେ ତାଙ୍କ ସହ ମଞ୍ଚରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ନୀତୀଶ କୁମାରଙ୍କ ସହ ଗୋଟିଏ ମଞ୍ଚରୁ କେସିଆର ବିଜେପି ମୁକ୍ତ ଭାରତ ନାରା ଦେଇଛନ୍ତି। ତେବେ ସବୁବେଳେ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟର ଓକିଲାତି କରି ଆସୁଥିବା କେସିଆର ଆଜି ବିହାର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ। ଏହାପରେ ସେ ନୀତୀଶ କୁମାରଙ୍କ ସହ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ଆମେ ବର୍ତ୍ତମାନ କେବଳ ବିଜେପି ମୁକ୍ତ ଭାରତ ଚାହୁଁଛୁ।”

ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଏକାଧିକ ବିରୋଧୀ ଦଳର ନେତା ଚେଷ୍ଟା କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସଫଳ ହୋଇନି। ଏବେ ନୀତୀଶ କୁମାର ବିଜେପି ସହ ସମ୍ପର୍କ ତୁଟାଇଥିବାରୁ ବିରୋଧୀଙ୍କ ତୃତୀୟ ସାମ୍ମୁଖ୍ୟ ଗଠନ ଚର୍ଚ୍ଚା ପୁଣି ଜୋର ଧରିଛି। ନୀତୀଶ କୁମାର ମଧ୍ୟ ପରୋକ୍ଷରେ ସବୁ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଏହି ଚର୍ଚ୍ଚା ଭିତରେ କେସିଆର କହିଛନ୍ତି, “ତୃତୀୟ ସାମ୍ମୁଖ୍ୟ କାହିଁକି? ଆମେ ବର୍ତ୍ତମାନ ମୁଖ୍ୟ ସାମ୍ମୁଖ୍ୟ ପାଇଁ କାମ କରୁଛୁ। ସବୁ ବିରୋଧୀ ଦଳ ଏକାଠି ହେବା ସହ ସମସ୍ତେ ବିଜେପି ମୁକ୍ତ ନାରା ଦେବା ଦରକାର। ଆମେ ଦେଶର ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ପ୍ରୟାସ କରିବୁ। ଆପଣମାନେ ଖୁବଶୀଘ୍ର ଏହାର ଫଳାଫଳ ଦେଖିବେ। ଆମେ ସମସ୍ତ ସମାନ ଚିନ୍ତାଧାରା ରଖୁଥିବା ଦଳଗୁଡ଼ିକୁ ଏକାଠି କରିବୁ। ସବୁ ବିବାଦୀୟ ପ୍ରସଙ୍ଗକୁ ଉପାଡ଼ି ଫୋପାଡ଼ି ଦେବୁ।”

ସୂଚନାଯୋଗ୍ୟ ଯେ, ବୁଧବାର ବିହାରର ରାଜଧାନୀ ପାଟନାରେ ପହଞ୍ଚିଥିବା କେସିଆର ପ୍ରାୟ ଏକ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

Related Posts