ଖଡଗେ କେବଳ କଂଗ୍ରେସ ଚଳାନ୍ତି, ହେଲେ ଆମର ନେତା ହେଉଛନ୍ତି ଗାନ୍ଧୀ ପରିବାର: ଖୁର୍ସିଦଙ୍କ ବୟାନକୁ ନେଇ ବିଜେପିର ଟାର୍ଗେଟ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ପୁଣିଥରେ ଏକ ବିବାଦର ସୂତ୍ରପାତ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେବଳ ଦଳ ଚଳାଇବା ପାଇଁ ଅଛନ୍ତି । ହେଲେ ‘ଗାନ୍ଧୀ ପରିବାର’ ସର୍ବଦା ଆମ ନେତା ରହିବେ । ତେବେ ଖୁର୍ସିଦଙ୍କ ଏହି ବୟାନ ପରେ ବିଜେପି ଦେଶର ସର୍ବପୁରାତନ ଦଳକୁ ଟାର୍ଗେଟ କରିଛି । ବିଜେପି ମୁଖପାତ୍ର ଗୌରବ ଭାଟିଆ ପଚାରିଛନ୍ତି ଯେ ଖଡଗେ ରିମୋଟ କଣ୍ଟ୍ରୋଲ ସଭାପତି ନା ରବର ଷ୍ଟାମ୍ପ ସଭାପତି ?

ଭାଟିଆ ଆହୁରି କହିଛନ୍ତି ଯେ, ‘ସତ୍ୟ ସାମ୍ନାକୁ ଆସିଯାଇଛି । କଂଗ୍ରେସ ଚାଟୁକାରିତା ଏବଂ ବଂଶବାଦରେ ବିଶ୍ୱାସ କରେ । ସଲମାନ ଖୁର୍ସିଦଙ୍କ ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷ ଯିଏ ବି ହେଉ, ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ପାଖରେ ହିଁ ଦଳର କମାଣ ରହିବ। ଆମେ ମଲ୍ଲିକାର୍ଜୁନ ଖଡଗେଙ୍କୁ ରିମୋଟ କଣ୍ଟ୍ରୋଲ ସଭାପତି କିମ୍ବା ରବର ଷ୍ଟାମ୍ପ ସଭାପତି ବୋଲି କହିବା କଣ ଉଚିତ ହେବ କି ? ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନର କଂଗ୍ରେସ ସଭାପତିଙ୍କର କୌଣସି ନିଷ୍ପତ୍ତି ନେବା କ୍ଷମତା ନାହିଁ ।

ବିଜେପି ମୁଖପାତ୍ର ଆହୁରି କହିଛନ୍ତି ଯେ, ସଭାପତି ତାହା କରନ୍ତି, ଯାହା ଗାନ୍ଧୀ ପରିବାର କହିଥାନ୍ତି । ଏହା ହେଉଛି ଚାଟୁକାରିତାର ପରୋକାଷ୍ଠା । କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ କେବଳ ଏକ ଲୋକ ଦେଖାଣିଆ ବୋଲି ସେ କହିଛନ୍ତି।

ସୂଚନାଥାଉକି, ସଲମାନ ଖୁର୍ସିଦ ଏକ ସାକ୍ଷାତକାରରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସର ନେତା ହେଉଛନ୍ତି ଗାନ୍ଧୀ ପରିବାର, ‘ଆମର ନେତା ଗାନ୍ଧୀ ପରିବାର ଅଟନ୍ତି ଏବଂ ରହିବେ । ପାର୍ଟି ଚଳାଇବା ପାଇଁ ଖଡଗେ ସେଠାରେ ଅଛନ୍ତି, ଯିଏ କେବଳ ପାର୍ଟି କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବେ ବୋଲି ଖୁର୍ସିଦ କହିଛନ୍ତି।

Related Posts