
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଉପରେ ଲାଗିଲା କଟକଣା। ମେ’ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇବାକୁ ଛତିଶା ନିଯୋଗ ବୈଠକରେ ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ।
ତେବେ ପରମ୍ପରା ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସେବାୟତ ମାନଙ୍କ ପାଇଁ ମାସ୍କ ଓ ସାନିଟାଇଜ ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।