କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ, କୁଶ ପୁତ୍ତଳିକାରେ ଦାହ କରି ଇସ୍ତଫା ଦାବି କଲା କୁଡୁମୀ ସଙ୍ଗଠନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। କୁଡୁମୀ ସଙ୍ଗଠନ ଆନ୍ଦୋଳନର ନେତୃତ୍ବକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର ମିଳିତ କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ଇଞ୍ଜିନିୟର ବିଶେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ ସହ ବିରୋଧ କରାଯାଇଛି। କୁଡ଼ୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ଯେ, ”କୁଡୁମୀ ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତାମାନେ ଲୋକଙ୍କୁ ଭକୁଆ ବନେଇବାରେ ଲାଗିଛନ୍ତି।ଆନ୍ଦୋଳନ ନାଁରେ ଲୋକଙ୍କୁ ଗାଁରୁ ଦିଲ୍ଲୀ ଯାଏଁ ବୋହି ନେଇ ସେମାନଙ୍କୁ ଭକୁଆ ବନାଉଛନ୍ତି”। କେନ୍ଦ୍ରମନ୍ତ୍ରୀଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ଏବେ ସାରା ଜିଲ୍ଲାରେ ବିରୋଧ କରାଯାଉଛି। ଫଳରେ ଚଳିତ ସପ୍ତାହ ଗୁରୁବାର ଠାରୁ ସାରା ଜିଲ୍ଲାରେ ବିରୋଧ ଦେଖିବାକୁ ମିଳିଛି। ଶୁକ୍ରବାର ମିଳିତ କୁଡୁମୀ ସମାଜ ପକ୍ଷରୁ ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗ ବିରୋଧ ପ୍ରଦର୍ଶନ କରିବା ସହିତ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ କୁଶ ପୁତ୍ତଳିକାରେ ଦାହ କରାଯାଇଛି। ଏହା ସହିତ ତାଙ୍କ ଇସ୍ତଫା ମଧ୍ୟ ଦାବି କରାଯଇଛି।

ସୂଚନାଯୋଗ୍ୟ ଯେ, କୁଡ଼ୁମୀ ସମ୍ପ୍ରଦାୟକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ ଦିଆଯାଇଥିଲା। ଏହାପରେ କୁଡ଼ୁମୀ ଜାତିକୁ ପୁଣିଥରେ ଆଦିବାସୀ ତାଲିକାରେ ସାମିଲ କରିବାକୁ ଦାବି ହେଉଥିବା ବେଳେ ଏହି ଦାବି ପୂରଣ ହୋଇନାହିଁ। ତେଣୁ ଆଦିବାସୀ ମାନ୍ୟତା ସହ କୁଡ଼ୁମାଲି ଭାଷାକୁ ସମ୍ବିଧାନରେ ସାମିଲ୍ କରିଯାଉ ଇତ୍ୟାଦି ଦାବି ନେଇ କୁଡ଼ୁମୀ ସମ୍ପ୍ରଦାୟର ୧୦୦ରୁ ଅଧିକ ପୁରୁଷ ଓ ମହିଳା ଓ କର୍ମକର୍ତ୍ତାମାନେ ସେପ୍ଟେମ୍ୱର ୨୦ରେ ଏକାଠି ହୋଇ ଭଞ୍ଜପୁରପୁର ରେଳ ଷ୍ଟେସନରେ ୩ଘଣ୍ଟା ଧରି ରେଳ ଧାରଣାରେ ବସି ଆନ୍ଦୋଳନ କରିଥିଲେ। ଏହାକୁ ନେଇ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ କୁହାଯାଇଥିବା ବିବାଦୀୟ ମନ୍ତବ୍ୟ ଦେଇଥିଲେ । କୁଡ଼ୁମି ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତା ଚିତ୍ତରଞ୍ଜନ ମହାନ୍ତ, ଅବନୀ ମହାନ୍ତ, ବସନ୍ତ ମହାନ୍ତ, ମନୋଜ ମହାନ୍ତ, ଡାକ୍ତର ମହାନ୍ତ, ହୃଦାନନ୍ଦ ମହାନ୍ତ, ରଜନୀକାନ୍ତ ମହାନ୍ତ, ହରିଶଙ୍କର ମହାନ୍ତ ଓ ଦୀପୁ ମହାନ୍ତ ପ୍ରମୁଖଙ୍କ ସମେତ ୧୦୦ରୁ ଅଧିକ ପୁରୁଷ ଏବଂ ମହିଳାମାନେ ଉପସ୍ଥିତ ଥିଲେ।

Related Posts