କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜେଟିଭ୍ ଚିହ୍ନଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ହରିଦ୍ୱାର କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଗତକାଲି କଟକ ରେଳ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୩୦ ଜଣ ଫେରନ୍ତାଙ୍କ RTPCR ଟେଷ୍ଟ କରାଯାଇ ଥିଲା । ସେଥି ମଧ୍ୟରୁ ୧୩ ଜଣ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ପୁଣି ଆଜି ଆଉ ଦୁଇଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି । କଟକ ରେଲୱେ ଷ୍ଟେସନରେ ଯେଉଁ ମାନେ ପହଞ୍ଚୁଛନ୍ତି ସେମାନଙ୍କର RTPCR ରିପୋର୍ଟ ଦେଖାଯାଉଛି । ଯେଉଁ ମାନଙ୍କର ୭୨ ଘଣ୍ଟା ପୁର୍ବରୁ RTPCR ରିପୋର୍ଟ ନେଗେଟିଭ୍ ଆସିଛି ସେମାନଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁଛି । RTPCR ରିପୋର୍ଟ ନଥିବା କୁମ୍ଭମେଳା ଫେରନ୍ତାଙ୍କର RTPCR ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୁର୍ବରୁ କୁମ୍ଭମେଳାରୁ ଫେରି ଥିବା ବ୍ୟକ୍ତିଙ୍କୁ ୧୪ ଦିନିଆ ବାଧ୍ୟତା ମୂଳକ କ୍ୱାରେଣ୍ଟାଇନ୍ ରହିବା ପାଇଁ ଏସ୍‌ଆରସି ଗାଇଡଲାଇନ୍ ଜାରି କରିଥିଲେ । ସେମାନେ ନିଜ ଘର କିମ୍ବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିପାରିବେ ବୋଲି ଏସ୍‌ଆରସି କହିଛନ୍ତି । ଏଥି ପାଇଁ ସମସ୍ତ ଜିଲ୍ଲାପାଳ ଓ ମୁନିସପାଲଟି କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ସଂକ୍ରମଣକୁ ଆଖିଆଗରେ ରଖି କୁମ୍ଭମେଳାକୁ ବନ୍ଦ କରିଦିଆଯାଇଛି । ଏପ୍ରିଲ୍ ୫ରୁ କୁମ୍ଭମେଳା ଆରମ୍ଭ ହୋଇଥିଲା । ତେବେ ୧୪ ଏପ୍ରିଲ୍ ମଧ୍ୟରେ ୬୮ ସାଧୁସନ୍ଥ କରୋନା ପଜେଟିଭ୍ ହୋଇ ଥିବା ଜଣାପଡିଛି । ଅନ୍ୟପଟେ ଆଖଡା ପରିଷଦର ସଭାପତି ଏବଂ ନିରଞ୍ଜନ ଆଖଡାର ମୁଖ୍ୟ ନରେନ୍ଦ୍ର ଗିରିଙ୍କ ସମେତ ଅନେକ ସାଧୁ କରୋନା ସଂକ୍ରମିତ ହୋଇଛନ୍ତି ।

Related Posts