ଷ୍ଟାଡିୟମ ଖାଲି କରି କୁକୁର ବୁଲେଇଥିବା ଆଇଏଏସ ଦମ୍ପତ୍ତିଙ୍କୁ ଲାଦାଖ ଓ ଅରୁଣାଚଳ ବଦଳି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖାଲି ଷ୍ଟାଡିୟମରେ କୁକୁରକୁ ବୁଲାଇବା ଆଇଏଏସ ଦମ୍ପତ୍ତିଙ୍କୁ ପଡ଼ିଲା ମହଙ୍ଗା । ତେବେ ଗୃହ ମନ୍ତ୍ରଣାଳୟ ଗୁରୁବାର ଦିନ ଦିଲ୍ଲୀର ମୁଖ୍ୟ ଶାସନ ସଚିବ (ରାଜସ୍ୱ) ସଞ୍ଜୀବ ଖିରୱାରଙ୍କୁ ଲଦାଖକୁ ସ୍ଥାନାନ୍ତର କରିଛନ୍ତି । କାହିଁକିନା ଏକ ଷ୍ଟାଡିୟମରେ କ୍ରୀଡା କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲା । ଏହାର ସୁବିଧା ନେଇ ଆଇଏଏସ ଦମ୍ପତ୍ତି ତାଙ୍କ ପୋଷା କୁକୁରକୁ ଷ୍ଟାଡିୟମରେ ବୁଲାଇଥିଲେ । ଯାହାର ଫୋଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ସେପଟେ ସ୍ୱାମୀଙ୍କ ପରେ ପରେ ଗୃହ ମନ୍ତ୍ରଣାଳୟ ଖିରୱାରଙ୍କ ପତ୍ନୀ ରିଙ୍କୁ ଦୁର୍ଗାଙ୍କୁ ଅରୁଣାଚଳ ପ୍ରଦେଶକୁ ସ୍ଥାନାନ୍ତର କରିଛନ୍ତି । ସେ ଦିଲ୍ଲୀ ସରକାରରେ ସଚିବ, ଜମି ଏବଂ ନିର୍ମାଣ କାର‌୍ୟ୍ୟ କରୁଥିଲେ। ଅନ୍ୟପଟେ ଇଣ୍ଡିଆନ୍ ଏକ୍ସପ୍ରେସକୁ ଜଣେ ଅଜ୍ଞାତ ଅଧିକାରୀ କହିଛନ୍ତି, “ମୁଖ୍ୟ ସଚିବ ସନ୍ଧ୍ୟାରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ଖିରୱାରଙ୍କୁ ଏମଏଚଏ ଦ୍ୱାରା ଲଦାଖ ଏବଂ ରିଙ୍କୁ ଦୁର୍ଗାଙ୍କୁ ଅରୁଣାଚଳ ପ୍ରଦେଶକୁ ସ୍ଥାନାନ୍ତର କରାଯାଇଛି। ରିପୋର୍ଟକୁ ଆଧାର କରି ଆବଶ୍ୟକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ଥିୟାଗ୍ରାଜ୍ ଷ୍ଟାଡିୟମରେ କ୍ରୀଡ଼ାବିତ୍ ଏବଂ କୋଚମାନେ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି ଯେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ସେମାନଙ୍କ କୁକୁରକୁ ଷ୍ଟାଡିୟମରେ ଚଲାନ୍ତି । ତେଣୁ ସେମାନେ ସେମାନଙ୍କ ଅଭ୍ୟାସକୁ ସମୟ ପୂର୍ବରୁ ଶେଷ କରିବାକୁ ବାଧ୍ୟ ହେଉଛନ୍ତି।

ଆମେ ପୂର୍ବରୁ ଦୀପାବଳିରେ ରାତି ୮-୮.୩୦ ପର‌୍ୟ୍ୟନ୍ତ ଟ୍ରେନିଂ ନେଉଥିଲୁ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପ୍ରଶିକ୍ଷକ ଖବରକାଗଜକୁ କହିଛନ୍ତି। “କିନ୍ତୁ ବର୍ତ୍ତମାନ, ଆମକୁ ସନ୍ଧ୍ୟା ୭ ଟା ପର‌୍ୟ୍ୟନ୍ତ ଭୂମି ଛାଡିବାକୁ କୁହାଯାଇଛି । ଯାହା ଦ୍ୱାରା ଅଧିକାରୀ ନିଜ କୁକୁରକୁ ଭୂମିରେ ଚଲାଇ ପାରିବେ । ଆମର ପ୍ରଶିକ୍ଷଣ ଏବଂ ଅଭ୍ୟାସ ରୁଟିନ୍ ବ୍ୟାହତ ହୋଇଛି। ଷ୍ଟାଡିୟମର ଜଣେ ଜୁନିଅର ଆଥଲେଟ୍ କହିଛନ୍ତି ଯେ ସମୟ ପୂର୍ବରୁ ସେମାନଙ୍କ ଅଭ୍ୟାସ ଅଧିବେଶନ ସମାପ୍ତ ହେଉଥିବାରୁ ସେ ଗରମରେ ଟ୍ରେନିଂ ନେବାକୁ ବାଧ୍ୟ ହେଉଛନ୍ତି । ଅଜ୍ଞାତ ଆଥଲେଟ୍ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି ଯେ, ଏହାପୂର୍ବରୁ ମୁଁ ପ୍ରତି ଅଧ ଘଣ୍ଟାରେ ଥରେ ପାଣି ବ୍ରେକ୍ ନେଉଥିଲି । ହେଲେ ବର୍ତ୍ତମାନ ମୁଁ ପ୍ରତି ପାଞ୍ଚ ମିନିଟରେ ଏକ ପାନୀୟ ଆବଶ୍ୟକ କରୁଛି। ଖିରୱାର ଖବରକାଗଜକୁ କହିଛନ୍ତି ଯେ ସେ ବେଳେବେଳେ ତାଙ୍କ ଗୃହପାଳିତ ପଶୁଙ୍କ ସହିତ ଏହି ସୁବିଧା ପରିଦର୍ଶନ କରନ୍ତି । ହେଲେ ଷ୍ଟାଡିୟମରେ ଆଥଲେଟ୍ସଙ୍କ ଅଭ୍ୟାସ ଅଧିବେଶନରେ ବାଧା ସୃଷ୍ଟି କରୁଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି। ଖିରୱାର ଆହୁରି ମଧ୍ୟ କହିଛନ୍ତି ଯେ ମୁଁ କୌଣସି ଆଥଲେଟ୍ଙ୍କୁ ଷ୍ଟାଡିୟମ ଛାଡିବାକୁ କହିବି ନାହିଁ। “ଯଦିଓ ମୁଁ ଷ୍ଟାଡିୟମକୁ ଯାଏ କିନ୍ତୁ ଖେଳାଳି ଥିଲେ ମୁଁ ମୋର ପୋଷା କୁକୁରକୁ ଟ୍ରାକ ଭିତରକୁ ଛାଡ଼ି ନଥାଏ ।

କେବଳ ଖେଳାଳି ନଥିଲେ ହିଁ ମୁଁ ମୋର ପୋଷା କୁକୁରକୁ ଟ୍ରାକକୁ ଛାଡ଼ିଥାଏ । ଯଦି ଏହା ଆପତ୍ତିଜନକ, ତେବେ ମୁଁ ଏହାକୁ ବନ୍ଦ କରିବି। ଅନ୍ୟପଟେ ପୂର୍ବ ଅପେକ୍ଷା ଷ୍ଟାଡିୟମର ବନ୍ଦ ହେବାର ଖବର ପ୍ରକାଶ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚଳାଉଥିବା ସମସ୍ତ କ୍ରୀଡା ସୁବିଧା ରାତି ୧୦ ଟା ପର‌୍ୟ୍ୟନ୍ତ ଖୋଲା ରହିବ। କେଜ୍ରିୱାଲ କହିଛନ୍ତି ଯେ “ଆଜି ସକାଳେ ଏହି ମାମଲା ମୋ ପାଖକୁ ଆସିଥିଲା। ଗରମ ଏବଂ ତାପମାତ୍ରା ବୃଦ୍ଧି ହେତୁ କ୍ରୀଡ଼ାବିତ୍ମାନେ ତାଲିମ ଜାରି ରଖିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଷ୍ଟାଡିୟମ୍ ସନ୍ଧ୍ୟା ୬ ଟା ସୁଦ୍ଧା ବନ୍ଦ ହୋଇଯିବ । ତେଣୁ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ ଷ୍ଟାଡିୟମକୁ ରାତି ୧୦ ଟା ପର‌୍ୟ୍ୟନ୍ତ ଖୋଲା ରହିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts