ରାଷ୍ଟ୍ରଦ୍ରୋହ ମାମଲାରେ ଲକ୍ଷାଦ୍ବୀପ ଆକ୍ଟିଭିସ୍ଟ ଐଶା ସୁଲ୍‌ତାନାଙ୍କୁ କେରଳ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇଥିବା ଲକ୍ଷାଦ୍ବୀପ ଆକ୍ଟିଭିସ୍ଟ ତଥା ଚଳଚ୍ଚିତ୍ର ନିର୍ମାତା ଐଶା ସୁଲ୍‌ତାନାଙ୍କୁ ଶୁକ୍ରବାର ଦିନ କେରଳ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଲକ୍ଷାଦ୍ବୀପବାସୀଙ୍କ ପାଇଁ କେନ୍ଦ୍ର ସରକାର କୋଭିଡ୍‌-୧୯କୁ ବାୟୋ ୱିପେନ୍ ବା ଜୈବାସ୍ତ୍ର ଭାବେ ବ୍ୟବହାର କରିଛନ୍ତି ବୋଲି ଏକ ସ୍ଥାନିୟ ଗଣମାଧ୍ୟମ ଚାନେଲ୍‌ରେ ମନ୍ତବ୍ୟ ଦେବାରୁ ସୁଲ୍‌ତାନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ବିଜେପି ମୁଖ୍ୟ ସି ଅବଦୁଲ କାଦର ହାଜିଙ୍କ କବରତ୍ତି ଥାନାରେ ଐଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରିଥିଲେ। ଏକ ଟିଭି ବିତର୍କରେ ଐଶା କହିଥିଲେ ଯେ କେନ୍ଦ୍ର ସରକାର ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ବାୟୋ ୱିପେନ୍ ବା ଜୈବାସ୍ତ୍ର ଭାବେ ଲକ୍ଷାଦ୍ବୀପ ପଠାଇଛନ୍ତି। ଐଶାଙ୍କ ଏହି ବିବୃତ୍ତିକୁ ନେଇ ଲକ୍ଷାଦ୍ବୀପ ବିଜେପି ବିରୋଧରେ ପ୍ରଦର୍ଶନ କରିଥିଲା । ଚଳଚ୍ଚିତ୍ର ନିର୍ମାତା ଐଶା ଲକ୍ଷାଦ୍ବୀପ ପ୍ରଶାସକଙ୍କ ବିବାଦୀୟ ପ୍ରସ୍ତାବିତ ନିୟମକୁ ଜୋରଦାର ବିରୋଧ କରିଆସୁଛନ୍ତି। ଗତ କିଛି ଦିନ ହେବ ଏହି ନୂତନ ନିୟମକୁ ନେଇ ଲକ୍ଷାଦ୍ବୀପ ଏବଂ କେରଳରେ ମଧ୍ୟ ବିରୋଧ ପ୍ରଦର୍ଶନ ହେଉଛି । ତାଙ୍କର ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ଐଶା ଫେସବୁକରେ ଏକ ସ୍ପଷ୍ଟୀକରଣ ଲେଖିଥିଲେ। ସେ କହିଛନ୍ତି, ” ଟିଭି ଚ୍ୟାନେଲ ବିତର୍କରେ ମୁଁ ଜୈବାସ୍ତ୍ର ଶବ୍ଦ ବ୍ୟବହାର କରିଥିଲି । ମୁଁ ଭାବୁଛି ପଟେଲ ଏବଂ ତାଙ୍କର ନୀତିଗୁଡିକ ବାୟୋୱିପନ୍ ଭଳି। ପଟେଲଙ୍କ ନୀତି ଯୋଗୁଁ ଲକ୍ଷାଦ୍ବୀପରେ କରୋନା ସଂକ୍ରମଣ ବ୍ୟାପିଗଲା । ମୁଁ ପଟେଲଙ୍କୁ ଜୈବାସ୍ତ୍ର ବୋଲି କହିଥିଲି ସରକାର କି ଦେଶକୁ ନୁହେଁ।” ଏହାପୂର୍ବରୁ ଐଶା ଜୁନ୍‌ ୨୦ ତାରିଖ ଦିନ କବରତ୍ତି ଥାନାରେ ହାଜର ହେବା ଲାଗି ତାଙ୍କୁ ନିର୍ଦେଶ ଦିଆଯାଇଥିଲା। ସେଥିପାଇଁ, ସେ ଆଗୁଆ ଜାମିନ ଲାଗି ଆବେଦନ କରିଥିଲେ।ସୂଚନାଯୋଗ୍ୟ, ଜୁନ୍‌ ୧୭ ତାରିଖ ଦିନ ଜଣିକିଆ ଖଣ୍ଡପୀଠ ଐଶାଙ୍କୁ ସପ୍ତାହକ ପାଇଁ ଅସ୍ଥାୟୀ ମଧ୍ୟବର୍ତ୍ତୀକାଳିନ ଜାମିନ ମଞ୍ଜୁର କରିଥିଲେ। ଗୁଜୁରାଟର ନରେନ୍ଦ୍ର ମୋଦୀ ସରକାରରେ ଗୃହମନ୍ତ୍ରୀ ଥିବା ପ୍ରଫୁଲ୍ଲ ପଟେଲଙ୍କୁ 5 ଡିସେମ୍ବର 2020ରେ ଲାକ୍ଷାଦ୍ଵୀପ ଦାୟିତ୍ୱ ଦିଆଯାଇଥିଲା। ସେ ଦାୟିତ୍ବ ଗ୍ରହଣ କରିବା ପର ଠାରୁ ଲାକ୍ଷାଦ୍ଵୀପରେ ତାଙ୍କର ନୀତି ବିରୋଧରେ ପ୍ରଦର୍ଶନ ହୋଇ ଆସୁଛି।

Related Posts