ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଧ୍ୟପ୍ରଦେଶ କଂଗ୍ରେସର ମୁଖ୍ୟ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ‘ପ୍ରୋଜେକ୍ଟ ଚିତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୁଜୁରାଟର ଗିର ଜଙ୍ଗଲରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ସିଂହ ସ୍ଥାନାନ୍ତରଣ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ହେଲେ ତାଙ୍କର ଏହି ପ୍ରସ୍ତାବକୁ ଗୁଜୁରାଟ ସରକାର ଗ୍ରହଣ କରିନଥିଲେ। ଏହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ଏବେ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କୁ ଛଡା ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, “ବାସ୍ତବରେ ସିଂହମାନେ କୁନୋ ଜାତୀୟ ଉଦ୍ୟାନକୁ ଆସିବା ଉଚିତ୍। ଯେତେବେଳେ ମୁଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲି । ମୁଁ ଏଠାକୁ ସିଂହ ଆଣିବାକୁ ବହୁତ ଚେଷ୍ଟା କଲି। ମୁଁ ଗୁଜୁରାଟ ସରକାରଙ୍କ ସହ କଥାବାର୍ତ୍ତା ମଧ୍ୟ କଲି କିନ୍ତୁ ମୋତେ ମନା କରାଯାଇଥିଲା। ଏବେ ଏଠାକୁ ଚିତାବାଘ ଆଣି ସରକାର ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁନୋ ଜାତୀୟ ଉଦ୍ୟାନ ଥିବା ଶୋପୁର ଜିଲ୍ଲା ହେଉଛି ଭାରତର ସବୁଠାରୁ ପୁଷ୍ଟିହୀନ ଜିଲ୍ଲା। ସରକାରୀ ତଥ୍ୟ ମଧ୍ୟ ଏହି ତଥ୍ୟକୁ ସମର୍ଥନ କରୁଛି। ସେ ଅଭିଯୋଗ କରିଛନ୍ତି ଯେ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ଶୋପୁର ବାସିନ୍ଦାଙ୍କ ସ୍ୱାସ୍ଥ୍ୟକୁ ନେଇ ଆଦୌ ଚିନ୍ତିତ ନୁହଁନ୍ତି। ପୁଷ୍ଟିହୀନତାକୁ ଦୂର କରିବା ପାଇଁ ଏଠାରେ ଏକ ଶିବିର ରହିବା ଉଚିତ୍ କିନ୍ତୁ ଏହା ବଦଳରେ ସରକାର ଏଠାରେ ଏକ ଚିତା ଇଭେଣ୍ଟ କରିବାକୁ ଠିକ୍ ଭାବିଲେ। ଆଉ ଏକ ମାସ ପରେ ମଧ୍ୟ ଏଠାକୁ ଚିତା ଆସିପାରିଥାନ୍ତା ବୋଲି ସେ କହିଛନ୍ତି।
