ଝାରୁସୁଗୁଡାରେ ବାଇପାସ ରୋଡ୍ ପାଇଁ ୫୮୭ କୋଟି ମଞ୍ଜୁର, ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିଳ୍ପର ସହର ଝାରୁସୁଗୁଡାରେ ଭାରିଯାନ ଯାତାୟାତ ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିପାଇଁ ଏକ ବାଇପାସ ରୋଡ୍ ତିଆରି କରିବାକୁ ଦୀର୍ଘଦିନରୁ ଦାବି ହେଉଥିଲା। ବର୍ତ୍ତମାନ ଏହି ବାଇପାସ ରୋଡ୍ ପାଇଁ କେନ୍ଦ୍ରର ଅନୁମତି ମିଳିଛି। ବୁଢ଼ିପଦର ଠାରୁ ବାହାରି ପତ୍ରାପାଲି ପର୍ଯ୍ୟନ୍ତ ଭାୟା ତାଳପଟିଆ ଦେଇ ରାସ୍ତା ତିଆରି କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।ଏଥିପାଇଁ ଆବଶ୍ୟକୀୟ ଅର୍ଥରାଶି ମଧ୍ୟ ମଞ୍ଜୁର ହୋଇଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଜାତୀୟ ରାଜପଥ ଏନଏଚ-୪୯କୁ ଏହି ରାସ୍ତା ସଂଯୋଗ କରିବ। ମୋଟ୍ ୩୧.୨୪ କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ ମୋଟ୍ ୫୮୭.୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ରାସ୍ତା ତିଆରି ହେବା ବେଳେ ହାତୀ ମାନଙ୍କ ନିରାପଦ ଚଳପ୍ରଚଳ ପାଇଁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ରାସ୍ତା କାମ ପାଇଁ ପ୍ରାୟ ୭୦ ପ୍ରତିଶତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ଏବଂ ବାକି କାମ ଖୁବ୍ ଶୀଘ୍ର ଶେଷ ହେବ ବୋଲି ସୂଚନା ମିଳିଛି।

Related Posts