ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାନଦୀ ଜଳ ବିବାଦର ସମାଧାନ ଦୀର୍ଘ ଦିନ ଧରି ସମାଧାନ ହୋଇ ପାରୁ ନାହିଁ । ଏହା ମଧ୍ୟରେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପୂର୍ବରୁ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରନ୍ତୁ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ଅନୁରୋଧ କରିଛି । ଦଳର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିର ସହାୟତା ଲୋଡିବେ ।
ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସହ ହେବାକୁ ଥିବା ବୈଠକରେ ସମ୍ଭବତଃ ଏ ସମ୍ପର୍କରେ ଆଲୋଚନା ହୋଇପାରେ । ତେଣୁ ସମର୍ଥନ ଦେବା ପୂର୍ବରୁ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ମୁଖ୍ୟମନ୍ତ୍ରୀ ଦାବି କରନ୍ତୁ । ଖାଲି ମହାନଦୀ ନୁହେଁଏ ଇବ, ବ୍ରାହ୍ମଣୀ, ଋଷି କୁଲ୍ୟା, ବଂଶଧାରା ଓ ନାଗାବଳୀ ନଦୀ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ଉପସ୍ଥାପନ କରି ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଜଳ ସଙ୍କଟରୁ ରକ୍ଷା କରିବା ପାଇଁ ସମାଜବାଦୀ ପାର୍ଟି ଅନୁରୋଧ କରିଛି । ଏ ସମ୍ପର୍କରେ ପାର୍ଟି ପକ୍ଷରୁ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।
