ରଥଖଳାରେ ରଥ ପ୍ରସ୍ତୁତି କାର୍ଯ୍ୟ ବିଷୟରେ ଆସନ୍ତୁ ଜାଣିବା..

ଭୁବନେଶ୍ୱର(ସତ୍ୟାପାଠ ବ୍ୟୁରୋ): ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ ତତ୍ ପରଦିନ ଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର‌୍ୟ୍ୟନ୍ତ ଚାଲିଥାଏ। ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା ମହାରଣା, ଭୋଇ,ରୂପକାର,ଦରଜି,କମାର ପ୍ରମୁଖ ସେବକମାନେ ଏହି କାର‌୍ୟ୍ୟରେ ନିୟୋଜିତ ହୋଇଥାନ୍ତି। ତନ୍ମଧ୍ୟରୁ ସମୁଦାୟ ୬୦ଜଣ ମହାରଣା, ୭୫ଜଣ ଭୋଇ, ୧୫ କମାର,୧୫ରୁ୨୦ ଚିତ୍ରକର,୭/୮ଜଣ ଦରଜି, ୧୫ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ । ମହାପ୍ରଭୁମାନଙ୍କ ବ୍ୟବହୃତ ତିନି ଗୋଟି ରଥର ଗଠନ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ। ଏହା ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ସୂଚନାଯୋଗ୍ୟ ଯେ, କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ,ଅଶ୍ୱ, ପାର୍ଶ୍ୱ ଦେବତା, ଠେକରା ବାଡ଼, ରଥବ୍ରେକ,ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ୱତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି। ତିନିରଥ ନିର୍ମାଣ କାର‌୍ୟ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ ଓ.ଟି.ଏମ୍ ମିଲରୁ ଆସୁଥିବା ଏହି କନା ମୂଖ୍ୟତଃ ନଲି,ହଳଦିଆ,ନେଳି ଓ କଳା ରଙ୍ଗର ଅଟେ। ପ୍ରାୟ ଏକ ହଜାର ମିଟରରୁ ଉର୍ଦ୍ଧ କନା ତିନି ରଥର ମଣ୍ଡଣି,ଘେର,ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ। ସମ୍ପ୍ରତି କିଛି ବର୍ଷ ଧରି ରଥ ନିମିତ୍ତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡା କମ୍ପାନୀ ସେଞ୍ଚୁରୀ ମିଲରୁ ଆସୁଅଛି।

ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନେଳି କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ। ନନ୍ଦିଘୋଷ,ତାଳଧ୍ୱଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି। ୬ଫୁଟ୍ ଉଚ୍ଚତାର ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ଲେଖାଏଁ ଓ ଉଚ୍ଚତା ୪୬ ଫୁଟ ଇଞ୍ଚ । ତାଳଧ୍ୱଜ ରଥର ଦୈର୍ଘ୍ୟ ପ୍ରସ୍ଥ ୩୩ ଫୁଟ ଲେଖାଏଁ ଓ ଉଚ୍ଚତା ୪୫ ଫୁଟ । ଏଥିରେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୪ ଚକ ଲାଗିଥାଏ। ସେହି ପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ଏବଂ ୧୨ ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଲେଖାଏଁ । ଉଚ୍ଚତା ଯଥାକ୍ରମେ ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ୍ ୬ ଇଞ୍ଚ ଅଟେ । ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥ ଗୁଡିକୁ ଭାଙ୍ଗି ଦିଆଯାଏ। କେବଳ ସାରଥୀ,ଘୋଡା, ପାର୍ଶ୍ୱଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହା ଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି।

Related Posts