ପୁରୀ ସିଂହଦ୍ୱାର ଭଳି ଲିଙ୍ଗରାଜ ମନ୍ଦିର ମୁଖ୍ୟ ଦ୍ୱାରରେ ଲାଗିବ ରୁପା କବାଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ହେବ ନବକଳେବର ।  ଶ୍ରୀମନ୍ଦିରର ସିଂହଦ୍ୱାର ଢାଞ୍ଚାରେ ଏହାର ପୁନଃ ନିର୍ମାଣ କରାଯିବ । ଆଜି ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛି ଏଏସ୍ଆଇ ଏବଂ ବିଏମ୍‌ସି ଟିମ୍ । ଫନି ପରଠରୁ ଲିଙ୍ଗରାଜ ମନ୍ଦିର କବାଟ ଭଙ୍ଗା ଅବସ୍ଥାରେ ପଡ଼ିଥିଲା। ବର୍ତ୍ତମାନ ଏହାର ଉଦ୍ଧାର କାର୍ଯ୍ୟ ପାଇଁ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାରର କାମ ଆରମ୍ଭ ହୋଇଥିବା ବେଳେ ଦେଢ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି  ।

ଫନି ବାତ୍ୟା ପରଠାରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ମୁଖ୍ୟଦ୍ୱାର ଭାଙ୍ଗିଯାଇଥିଲା। ଏହାକୁ ମରାମତି ପାଇଁ ସେବାୟତମାନେ ଦାବି କରିଆସୁଥିଲେ ।  କରୋନା ଯୋଗୁ ମନ୍ଦିର ବନ୍ଦ ଥିବା ବେଳେ କାମ ଆରମ୍ଭ ହେଉ ନ ଥିଲା। ଏବେ ମନ୍ଦିର ଖୋଲାଯିବା ପରେ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତେବେ ମନ୍ଦିର ଖୋଲିଥିବାରୁ ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଏପରି ସମୟରେ କିପରି ମରାମତି କାମ ସୁରୁଖୁରରେ ଚାଲିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ତେବେ ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି, ଆଜି  ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଓ ସେବାୟତଙ୍କ ସହ  ମିଶି ମନ୍ଦିର ଭିତରେ କ’ଣ ସମସ୍ୟା ଅଛି ବୁଲି ଦେଖିଲୁ । କିପରି ଏହାର ମରାମତି କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହେଲା । ମନ୍ଦିରେ ବର୍ତ୍ତମାନ କାଠ କବାଟ  କାମ ଚାଲିଛି। ପ୍ରଭୁଙ୍କ କୃପା ହେଲେ ସମସ୍ତଙ୍କ ସହଯୋଗରେ ପରେ ରୂପା କବାଟ ଲାଗିବ।  ଏହାବାଦ ଶବିଶକ୍ତି ମନ୍ଦିର ଚାରିପଟେ ବାଡ଼ା ଦିଆଯିବ। କିନ୍ତୁ ମରାମତି ଯୋଜନାକୁ ଅନୁମୋଦନ ମିଳିଛି, କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଏଏସଆଇ ଅଧିକ୍ଷକ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ଅପରପକ୍ଷରେ  ରୁପା କବାଟ ପାଇଁ ପ୍ରସ୍ତାବ ଦେଇଥିବା ଏବଂ ଏହାକୁ ନେଇ ସରକାର ଏବଂ ଏଏସ୍‌ଆଇଙ୍କ ପକ୍ଷରୁ ସମ୍ମତି ପ୍ରକାଶ ପାଇଥିବା ସେବାୟତଙ୍କ ପକ୍ଷରୁ କୁହାଯାଇଛି । 

Related Posts