ଆଜି ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ୍‌ ଟ୍ରସ୍‌

ଲଣ୍ଡନ: ବ୍ରିଟେନ୍‌ କୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ଆଜି ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ୍‌ ଟ୍ରସ୍‌। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି ଲିଜ୍‌ ଟ୍ରସ୍‌।

ରାଣୀ ଏଲିଜାବେଥ୍ ଦ୍ୱିତୀୟ ଲିଜ୍ ଟ୍ରସଙ୍କୁ ଶପଥ ପାଠ କରାଇବେ । ବିଧିବଦ୍ଧ ଭାବେ ଲିଜ୍ ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବେ ରାଣୀ ଏଲିଜାବେଥ୍ ଦ୍ୱିତୀୟ। ତେବେ ପୂର୍ବଭଳି ଏହା ବକିଙ୍ଗହାମ୍ ପ୍ୟାଲେସ୍‌ରେ ଏହି ସମାରୋହ ହେବ ନାହିଁ। ସ୍କଟଲାଣ୍ଡରେ ଏଥିପାଇଁ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହେବ।

ଏବେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ଗ୍ରୀଷ୍ମଋତୁ ଅତିବାହିତ କରୁଥିବା ସ୍କଟଲାଣ୍ଡ ସ୍ଥିତ ବାଲ୍ମୋରାଲ୍ ଇଷ୍ଟେଟ୍‌ରେ ଅନୁଷ୍ଠିତ ହେବ। ସେଠାରେ ବୋରିସ୍ ଜନ୍‌ସନ୍‌ ପଦ ଛାଡିବେ ଓ ନୂଆ ପ୍ରଧାନମନ୍ତ୍ରୀ ହେବେ ଲିଜ୍ ଟ୍ରସ୍।

ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ହରାଇ ୟୁକେର ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସ୍ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ଲିଜଙ୍କୁ ୮୧ହଜାର ୩୨୬ ଖଣ୍ଡ ଭୋଟ୍ ମିଳିଛି। ସେହିପରି ଋଷି ସୁନକଙ୍କୁ ୬୦ହଜାର ୩୯୯ ଖଣ୍ଡ ଭୋଟ୍ ମିଳିଛି। ଋଷି ଏହି ନିର୍ବାଚନରେ ୨୦ହଜାର ୯୨୭ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।

ସୂଚନାଯୋଗ୍ୟ, ବୋରିସ୍ ଜନସନ୍ ଜୁନ୍ ୭ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଜନସନଙ୍କ ଉତରାଧିକାରୀ ଦୌଡ଼ରେ ପୂର୍ବତନ ଚାନ୍ସେଲର ଋଷି ସୁନକ ଓ ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସ୍ ଫାଇନାଲରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କନଜରଭେଟିଭ୍ ଦଳର ପ୍ରାୟ ୧ଲକ୍ଷ ୬୦ହଜାରୁ ଅଧିକ ସଦସ୍ୟ ଭୋଟ୍ ଦେଇଥିଲେ।

Related Posts