ନଗଡା ଦୁର୍ନିତୀର ତଦନ୍ତ କରିବ ଲୋକାୟୁକ୍ତଙ୍କ ଅଭିଜ୍ଞ ଟିମ୍‌

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର ; ୨୦୧୬ରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାର ଶିଶୁ ମୃତ୍ୟୁ ଘଟଣାକୁ ନେଇ ସେହି ସମୟରେ ରାଜ୍ୟ ସମେତ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେହି ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଉନ୍ନତି ମୂଳକ ପଦେକ୍ଷପ ଗ୍ରହଣ କରାଯାଇଥିଲା । କିନ୍ତୁ ବିକାଶ ନାଁରେ ବିଭିନ୍ନ ସମୟରେ ଦୁର୍ନିତୀ ଅଭିଯୋଗ ଅସିବା ପରେ ଲୋକାୟୁକ୍ତ ଏହାର ତଦନ୍ତ ଭାର ଗ୍ରହଣ କରିଛନ୍ତି । ନଗଡା ଗସ୍ତ କରି ଦୁଇ ମାସ ମଧ୍ୟରେ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ତଦନ୍ତ କମିଟି ନିର୍ଦେଶକଙ୍କୁ ଦାୟିତ୍ୱ ଦେଇଛନ୍ତି । ଅଗାମୀ ଜୁନ୍ ୨୧ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ଲୋକାୟୁକ୍ତଙ୍କ ୱେବ ସାଇଟରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ମୁତାବକ , ଘଟଣାର ଶୁଣାଣି ପୂର୍ବରୁ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶକ କମିଟି ନଗଡା ଗସ୍ତକରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦନ୍ତ କରିବେ । ତଦନ୍ତରେ ପକ୍ଷଭୁକ୍ତ ଥିବା ଯାଜପୁର ଜିଲ୍ଲାପାଳ , ଜିଲ୍ଲା ଖଣିଜ ନ୍ୟାସ (ଡିଏମ୍‌ଏଫ୍‌) ସିଇଓ ତଥା ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ , ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ ଓଡିଶା , ଯାଜପୁର ଟାଉନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀ , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ନିର୍ବାହୀ ଯନ୍ତ୍ରୀ ଚଣ୍ଡିଖୋଲ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ସମନ ଜାରି କରାଯାଇଛି । ତଦନ୍ତ ସମୟରେ ଏହି ସମସ୍ତ ଅଧିକାରୀ ପ୍ରଶାସକ ଓ ଯନ୍ତ୍ରୀ ଉପସ୍ଥିତ ରହି ପକ୍ଷ ରଖିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ କେସ୍ ନଂ ଏଲ୍‌ୱାଇ ୪୫୫/୨୦୧୯ ଆଧାରରେ ନିର୍ଦେଶନାମା ଜାରି କରାଯାଇଛି ।
ନଗଡାର କୁପୋଷିତ ଶିଶୁଙ୍କ ବିକାଶ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତୀ ହୋଇଥିବା ଅଭିଯୋଗରେ ୨୦୧୯ ମସିହାରେ ରାଇଟ ଟୁ ଫୁଡ୍ କ୍ୟାମ୍ପେନ୍ ରାଜ୍ୟ ଆବାହକ ତଥା ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପ୍ରଧାନ ଲୋକାୟୁକ୍ତଙ୍କ ଦୃଷ୍ଟି ଅକର୍ଷଣ କରିଥିଲେ । ୨୦୨୦ ଫେବୃୟାରୀ ୧୨ ତାରିଖରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଏହି ମାମାଲାର ପ୍ରଥମ ଶୁଣାଣି ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ଦୁର୍ନିତୀ ଅଭିଯୋଗକୁ ଏଡେଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିବା ବେଳେ ଅଭିଯୋଗକାରୀଙ୍କ ପକ୍ଷରୁ ସଂଯୁକ୍ତା ପାଣିଗ୍ରାହୀ ଓ ସୁଧୀର ମହାନ୍ତି ବଳିଷ୍ଠ ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ । ଏହି ଘଟଣାର ତଦନ୍ତ ପାଇଁ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିଷ ସିଂ ଓ ତଦନ୍ତ ନିର୍ଦେଶକ ଦଳ ଗତବର୍ଷ ମାର୍ଚ ୨୧ ତାରିଖରେ ନଗଡା ଗସ୍ତ କରାବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କୋଭିଡ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଲୋକାୟୁକ୍ତ ଅଧ୍ୟକ୍ଷ ତଦନ୍ତରୁ ଓହରି ଯାଇଥିଲେ । କିନ୍ତୁ ତଦନ୍ତ ଭାର ତଦନ୍ତ ନିର୍ଦେଶକ ଦଳ ଉପରେ ନ୍ୟସ୍ତ କରାଯାଇଛି । ଏହି ଟିମରେ ଡକ୍ଟର ଦେବବ୍ରତ ସ୍ୱାଇଁ , ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା , ଜଷ୍ଟିସ୍ ବିଜୟ କୁମାର ନାୟକ ଓ ଏକାଧିକ ଅଭିଜ୍ଞ ଯନ୍ତ୍ରୀ ସାମିଲ ଅଛନ୍ତି । ଏହି ଅଭଜ୍ଞ ତଦନ୍ତକାରୀ ଦଳ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ତଦନ୍ତ କରିବ ।

Related Posts