ହାଇଦର କୁ ନେଇ ବିଜେପି ବିଜେଡି କଳି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ହାଇଦର ଫେରାର ହେବା ଘଟଣାରେ ରାଜ୍ୟଗୃହ ବିଭାଗକୁ ଦାଇକରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତିଯେ କୌଣସି ଅପରାଧୀ ଜେଲ୍ ବାହରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ନିୟମାନୁଶାରେ କଏଦୀକୁ ଉକ୍ତ ଜେଲ୍ ର ମେଡିକାଲ ଅଫିସର ଓ ଜେଲ୍ ଅଧୀକ୍ଷକଙ୍କ ସୁପାରିସକ୍ରମେ ଜେଲ୍ ମହାନିର୍ଦ୍ଦେଶକ ଅନୁମତି ପ୍ରଦାନ କରିବା ଆବଶ୍ୟକ । ବାହାରେ ରହି କଏଦୀ ଚିକିତ୍ସିତ ହେଉଥିବା ସମୟରେ ଜେଲ୍ ର ଜଣେ ଉଚ୍ଚପଦସ୍ଥ ଅଧିକାରି ପ୍ରତ୍ୟକ ଦିନ ଅନୁଧ୍ୟାନ କରି ଏହି ସମ୍ପର୍କରେ ରିପୋର୍ଟ ଜେଲ୍ ବିଭାଗକୁ ପ୍ରଦାନ କରିବା ଆବଶ୍ୟକ । କିନ୍ତୁ ଅପରାଧୀ ହାଇଦର କ୍ଷେତ୍ରରେ ଜେଲ୍ କର୍ତ୍ତୁପକ୍ଷ ସମସ୍ତ ଆଇନ୍ ଓ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ପୁଲିସ ଓ ଜେଲ୍ କର୍ତ୍ତୁପକ୍ଷ ସହାୟତାରେ ଅପରାଧୀ ହାଇଦରକୁ ଖସାଇ ଦିଆଗଲା । ଦୁର୍ଭାଗ୍ୟଜନକ ବିଷୟ ଏପର୍ଯ୍ୟନ୍ତ ଜେଲ୍ ମହାନିର୍ଦ୍ଦେଶକ, ସମ୍ବଲପୁର ଜେଲ୍ ଅଧୀକ୍ଷକ ଓ ଜେଲ୍ ଚିକିତ୍ସା ଅଧିକାରୀଙ୍କୁ ଉତ୍ତରଦାଇ କରା ନ ଯିବା । କିପରି ହାଇଦର ଚିକିତ୍ସା ମିଛ ଆଳ ଦେଖାଇ ବାରମ୍ବାର କଟକ କେମିତି ଆସୁଥିଲା ? ତା’ ପାଖରେ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଆଦି କେମିତି ଆସୁଥିଲା ? ଡାକ୍ତରଖାନରେ ଚିକିତ୍ସା ହେଉଥିବା ସମୟରେ ପୁଲିସ ସୁରକ୍ଷା ବ୍ୟବସ୍ଥା ନଥିଲା ।ତା’ ର ଯୁବତି ବନ୍ଧୁ ଓ ଅନ୍ୟ ଅପରାଧୀ ମନେ ତା ସାଙ୍ଗରେ ରହୁଥିଲେ ଏ ସବୁ ଷଡଜନ୍ତ୍ର ପଛରେ ବହୁ ଅଧିକାରିଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି ଏହାର ପର୍ଦ୍ଦାଫାଶ ହେବା ଆବଶ୍ୟକ । ଜେଲ୍ ବିଭାଗର ମୁଖ୍ୟ ହେଲେ ଗୃହମନ୍ତ୍ରୀ ତଥା ଖୋଦ୍ ମୁଖ୍ୟ ମନ୍ତ୍ରୀ । ତେଣୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।


ଏହାର ଜବାବରେ ବିଜେଡି ମୁଖପାତ୍ର ଏଲିନା ଦାଶ କହିଛନ୍ତି ଯେ ଲେଖାଶ୍ରୀ ସାମନ୍ତସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡିଛନ୍ତି । ପିପିଲି ଉପନିର୍ବାଚନ ଲଢିବା ପାଇଁ ବହୁତ ଦୌଡିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ସ୍ୱଭାବିକ ଭାବେ ସେ ହତାସ ଆଉ ନିରାସ ହୋଇଯାଇଛନ୍ତି । ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ସକାଳୁ ସକାଳୁ ପ୍ରତିଦିନ ଗଣମାଧ୍ୟମକୁ ଡକାଇ କିଛି ଅବାନ୍ତର , ଭିତ୍ତିହୀନ, ମିଥ୍ୟା ବକ୍ତବ୍ୟ ଦେଉଛନ୍ତି । କରୋନା ପାଇଁ ଜନସାଧାରଣ ଚିନ୍ତିତ ଥିଲା ବେଳେ ଲେଖାଶ୍ରୀ ସାମନ୍ତସିଂହାର ହାଇଦର ବିଷୟରେ ଆଈ ମା’ କାହାଣୀ ଶୁଣାଉଛନ୍ତି ଓ ନିଜେ ଲୋକହସା ହେଉଛନ୍ତି । ଭଗବାନ ଶ୍ରୀମତୀ ସାମନ୍ତସିଂହାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଏବଂ ନିତିଦିନିଆ ବାଚାଳାମି କରିବାରୁ ଯେ ଲୋକହସା ହେଉଛନ୍ତି ଏହା ସେ ବୁଝି ପାରନ୍ତୁ ବୋଲି ଶ୍ରୀମତୀ ଦାଶ କହିଛନ୍ତି ।

Related Posts