ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଲେ ଏମ୍, ଭି, ରମନ୍ନା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର : ୧୯୭୫ ଅଗଷ୍ଟ ୨୭ରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପୋନାଭରମ ଗାଁର ଜନ୍ମିତ ଏମ.ଭି. ରମନ୍ନା ଆଜି ଦେଶର ୪୮ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି । ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଭାରତର ପ୍ରଧାନବିଚାରପତି ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି। ଉଲ୍ଲେଖନୀୟ ଯେ, ରମନା ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ପ୍ରଥମ ବିଚାରପତି, ଯିଏକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଛନ୍ତି। ଚାଷୀ ପରିବାରରେ ଜନ୍ମଲାଭ କରିଥିବା ରମନା ଛାତ୍ର ଜୀବନରେ କୃଷି ଓ ଶିଳ୍ପ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଥିବା ବେଳେ ଶିକ୍ଷା ସମାପ୍ତ ପରେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏକ ତେଲୁଗୁ ଖବର କାଗଜରେ ସାମ୍ବାଦିକତା ମଧ୍ୟ କରୁଥିଲେ । ପରେ ପରେ ଓକିଲାତି ଅଧ୍ୟୟନ କରି ୧୯୮୩ ମସିହା ଏପ୍ରିଲ ୧୦ ତାରିଖରେ ଆନ୍ଧ୍ର ଉଚ୍ଚ ନ୍ୟାୟାଳୟରେ ଓକିଲାତି ଅଭ୍ୟାସ ଆରମ୍ଭ କରିଥିଲେ। ଏହାପରେ ସେ ୨୦୦୦ ମସିହା ଜୁନ ୨୭ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୪ ମସିହା ଫେବୃଆରୀ ୧୭ ତାରିଖରେ ସର୍ବୋଚ୍ଚନ୍ୟାୟାଳୟ କୁ ଯିବା ପୂର୍ବରୁ ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ସେଠାରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣୀ କରିଥିବା ଖଣ୍ଡପୀଠର ନେତୃତ୍ବ ମଧ୍ୟ ନେଇଥିଲେ ।

Related Posts