ମହାରାଷ୍ଟ୍ର ସଙ୍କଟ: ଦଳୀୟ ବିଧାୟକଙ୍କୁ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ରୁହ ବୋଲି କହିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ରରେ ଦେଖାଦେଇଛି ରାଜନୈତିକ ସଂକଟ । ବିରୋଧି ଏକତ୍ରିତ ହୋଇ ମେଣ୍ଟ ସରକାର ଭାଙ୍ଗିବା ନେଇ ଅଣ୍ଟା ଭିଡ଼ି ଛନ୍ତି । ଶିବସେନାରେ ବିଦ୍ରୋହ ପାଇଁ ଅଢେଇ ବର୍ଷ ହେବ ମେଣ୍ଟ ସରକାରରେ ଥିବା ଏନସିପି ଏବଂ କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି । ଏବେ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ଘର ମାତୋଶ୍ରୀକୁ ସ୍ଥାନାନ୍ତର ହେବା ପରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଦଳୀୟ ବିଧାୟକଙ୍କ ସହ ବୈଠକ କରି କହିଛନ୍ତି ।

ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ରୁହ ବୋଲି ନିଜ ଦଳର ବିଧାୟକ ମାନଙ୍କୁ କହିଛନ୍ତି । ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ଆସିବ ସାମ୍ନା କରିବାକୁ ଏବେଠୁ ପ୍ରସ୍ତୁତ ହେବାକୁ ମଧ୍ୟ ସେ କହିଛନ୍ତି। କଂଗ୍ରେସ ପର୍ଯ୍ୟବେକ୍ଷକ ଭାବେ କମଲନାଥଙ୍କୁ ନିଯୁକ୍ତ କରି ଘଟଣାକ୍ରମ ଉପରେ ନଜର ରଖିଛି।

ଗୁରୁବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଏନସିପି ନେତାଙ୍କ ବୈଠକ ଡକାଇଥିଲେ। ଶିବସେନା ବିଧାୟକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଶରଦ ପାୱାର ନେତାମାନଙ୍କୁ କ୍ଷମତା ହରାଇଲେ ଆଗକୁ ରାଜନୀତିକ ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଦ୍ଧବ ଠାକରେଙ୍କ ଆଭିମୁଖ୍ୟକୁ ଗ୍ରହଣ କରିବାକୁ ପାଓ୍ୱାର ପରାମର୍ଶ ଦେଇଥିବା ସୂଚନା ରହିଛି। ଏପରି ପରିସ୍ଥିତିରେ ଏନସିପି ତାଙ୍କ ସହ ଅଛି ବୋଲି କହିଛି।

ଏନସିପି ନେତା ଜୟନ୍ତ ପାଟିଲ କହିଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମର୍ଥନ କରିବା ପାଇଁ ଶିବସେନା ଆବଶ୍ୟକ କରୁଥିବା ସମସ୍ତ କାମ କରିବ।

ମହାରାଷ୍ଟ୍ରର ରାଜନୀତିକ ସଙ୍କଟ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ବସିଥିବା ବୈଠକରେ ଏନସିପି ମନ୍ତ୍ରୀ ଦିଲୀପ ୱାଲସେ-ପାଟିଲ, ଜିତେନ୍ଦ୍ର ଆହାଦ, ହାସନ ମୁଶରିଫ ଏବଂ ଜୟନ୍ତ ପାଟିଲ ଉପସ୍ଥିତ ଥିଲେ।

ଜୟନ୍ତ ପାଟିଲ କହିଛନ୍ତି, “ମୁଁ ଭାବୁନାହିଁ ଯେ, ଆସ୍ଥା ଭୋଟ୍ ହେବ ବୋଲି । ଆମେ ଉଦ୍ଧବ ଠାକୁରଙ୍କ ପଛରେ ରହିଛୁ। ଯେପର୍ଯ୍ୟନ୍ତ ବିଧାୟକମାନେ ବାହାରକୁ ଆସିବେ ନାହିଁ ସେ ପର୍ଯ୍ୟନ୍ତ ଏକନାଥ ସିନ୍ଦେଙ୍କ ସହିତ ଅଛନ୍ତି ବୋଲି କିଛି କହି ହେବନାହିଁ। ଶିବସେନା ଏକଜୁଟ ହୋଇ ରହିଲେ ମେଣ୍ଟ ରକାର ବଞ୍ଚିଯିବ।

ଯଦି ସରକାର କ୍ଷମତା ହରାନ୍ତି ତେବେ ଏନସିପି ବିରୋଧ କରିବ ବୋଲି ସେ କହିଛନ୍ତି। ଜୟନ୍ତ ପାଟିଲ କହିଛନ୍ତି ଯେ ଯଦି ସରକାର ରୁହେ ତେବେ ଆମେ କ୍ଷମତାରେ ରହିବୁ, ସରକାର ଗଲେ ଆମେ ବିରୋଧୀ ଦଳରେ ବସିବୁ ।

ପାଟିଲ ଆହୁରି କହିଛନ୍ତି, ସରକାରଙ୍କୁ ବଞ୍ଚାଇବା ପାଇଁ ଯାହା ଦରକାର ତାହା କରାଯାଉଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା ହୋଇ ନାହିଁ। ଶିବସେନା ଶାସକ ଏମଭିଏ ମିଳିତ ମଞ୍ଚର ମୁଖ୍ୟମନ୍ତ୍ରୀ ପଦ ରଖିଛି। ତେଣୁ ଶିବସେନାର ଆହ୍ୱାନକ୍ରମେ କୌଣସି ନିଷ୍ପତ୍ତି ନିଆଯିବ ।

Related Posts