ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଭାରତ ପାଇଁ ଆଜି ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ସେ ପୁରୁଷ ସିଙ୍ଗଲ୍ସରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ଡାନିଏଲଙ୍କୁ ଓଡ଼ିଆ ପୁଅ ପ୍ରମୋଦ ଭଗତ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରିଛନ୍ତି । ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ତଥା ବିଶ୍ବର ନଂ୧ ମାନ୍ୟତା ପ୍ରାପ୍ତ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଫାଇନାଲ ମ୍ୟାଚରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ । ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ ଯେ ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରମୋଦ ଏବେ ପାରା ବ୍ୟାଡମିଣ୍ଟନରେ ଉଭୟ ବିଶ୍ବ ଓ ଏସୀୟ ଚାମ୍ପିଅନ ଅଛନ୍ତି ।

ମାତ୍ର ୫ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହୋଇଥିବା ପ୍ରମୋଦଙ୍କ ନାମରେ ମୋଟ ୪୫ଟି ଅନ୍ତର୍ଜାତୀୟ ମେଡାଲ ରହିଛି । ସେ ମୋଟ ୪ଟି ବିଶ୍ବ ଚାମ୍ପିଅନସିପ ଓ ୨୦୧୮ ଏସୀୟ ପାରା ଗେମ୍ସରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ । ତାଙ୍କର ଏହି ଐତିହାସିକ ବିଜୟରେ ବରଗଡ ଜିଲ୍ଲାର ଅତାବିରା ଗାଁ ଆଜି ଉଲ୍ଲସିତ ହୋଇ ଉଠିଛି। ପ୍ରମୋଦଙ୍କ ବିଜୟରେ ବାଣ ଫୁଟାଇ ନାଚିଥିଲେ ଗାଁ ଲୋକେ। ପ୍ରମୋଦଙ୍କ ପାଇଁ ଗାଁ ମନ୍ଦିରରେ ଆଜି ପୂଜାର୍ଚ୍ଚନା ହୋଇଥିଲା। 

୨୦୧୯ରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପାଇଥିଲେ ପ୍ରମୋଦ । ସେହିପରି ୨୦୧୯ରେ ରାଜ୍ୟର ପ୍ରଥମ ପାରା କ୍ରୀଡାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇଥିଲେ । ତାଙ୍କ ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। 

Related Posts