“ମମତା ବାନାର୍ଜୀ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବା ମତେ ଆଶ୍ଚର୍ଯ୍ୟ କରିଛି” : ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲ୍‌ଭା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପରାଷ୍ଟ୍ରପତି ନିର୍ବାଚନରେ ତୃଣମୂଳ କଂଗ୍ରେସ ଭୋଟ ନଦେବା ନିଷ୍ପତ୍ତିରେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲ୍‌ଭା ନିରାଶ ହୋଇଛନ୍ତି। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକ୍ଷେପକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।ଏକ ସାକ୍ଷାତକାରରେ ଆଲଭା କହିଛନ୍ତି, ଯୁବ କଂଗ୍ରେସ ଦିନରୁ ମମତା ମୋର ଭଲ ବନ୍ଧୁ ଥିଲେ। ମୁଁ ତାଙ୍କ ପାଇଁ ଲଢିଛି, ସମର୍ଥନ କରିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ସହ ରହିଛି। କିନ୍ତୁ ଯେତେବେଳେ ଟିଏମସି ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବାକୁ ସ୍ଥିର କଲା, ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ଏହି ନିର୍ବାଚନରେ କୌଣସି ହ୍ବିପ୍‌ ନାହିଁ ଏବଂ ଏହା ଏକ ଗୁପ୍ତ ମତଦାନ। ଯଦି ତୁମେ ହ୍ବିପ୍‌ ଦେଇ ପାରିବ ନାହିଁ, ତୁମେ ତୁମର ଏମ୍‌ପିମାନଙ୍କୁ ଭୋଟ ନ ଦେବାକୁ କିପରି କହିପାରିବ? ଏହା ଏକ ନକାରାତ୍ମକ ହ୍ବିପ୍‌ ଦେବା ଭଳି। ମମତା ଫୋନ ଉଠାଉ ନାହାନ୍ତି। ମୁଁ ତାଙ୍କୁ ମେସେଜ୍‌ ଲେଖିଛି ଏବଂ ଲୋକମାନେ ତାଙ୍କ ସହ କଥା ହୋଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ବିରୋଧୀ ଦଳ ପାଇଁ ଏକ ଆହ୍ବାନ।

ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ନୂଆ ଉପରାଷ୍ଟ୍ରପତି ୧୧ ତାରିଖରେ ଶପଥ ନେବେ। ମାର୍ଗାରେଟ ଆଲ୍‌ଭାଙ୍କ ବିପକ୍ଷରେ ଏନ୍‌ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଛନ୍ତି। ଧନକରଙ୍କ ବିଜୟ ନିଶ୍ଚିତ ବୋଲି କୁହାଯାଉଛି।

Related Posts