
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ବହୁମାତ୍ରାରେ କମିଛି ମାଓବାଦୀ ହିଂସା ଘଟଣା । ତେବେ ୨୦୧୩ ମସିହା ତୁଳନାରେ ୨୦୨୦ ମସିହାରେ ମାଓବାଦୀମାନଙ୍କ ଦ୍ୱାରା କରାଯାଉଥିବା ହିଂସା ୪୨ ପ୍ରତିଶତ ଓ ଏହା ଦ୍ୱାରା ହେଉଥିବା ମୃତ୍ୟୁ ୫୪ ପ୍ରତିଶତ କମିଛି। ୨୦୨୦-୨୧ ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ନକ୍ସଲି ହିଂସା ଘଟଣା ବହୁମାତ୍ରାରେ ସୀମିତ ହୋଯାଇଛି ଓ ସମସ୍ତ ମାଓବାଦୀ ହିଂସା ଘଟଣାରେ କେବଳ ୮୮ ପ୍ରତିଶତ ୩୦ଟି ସହରରେ ହୋଇଛି। ରିପୋର୍ଟ ଅନୁସାରେ ୯ଟି ରାଜ୍ୟରେ ୫୩ଟି ଜିଲ୍ଲାର ୨୨୬ଟି ଥାନାରେ ମାଓବାଦୀ ହିଂସାର ରିପୋର୍ଟ ସାମ୍ନାକୁ ଆସିଥିଲା। ସେହିପରି ୨୦୧୩ରେ ୧୦ଟି ରାଜ୍ୟରେ ୭୬ଟି ଜିଲ୍ଲାର ୩୨୮ଟି ଥାନାରେ ମାଓବାଦୀ ହିଂସା ଘଟଣା ପଞ୍ଜୀକୃତ ହୋଇଥିଲା। ଗତ ୬ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦରେ ବହୁତ କମିଥିବା ଦେଖାଯାଇଛି। ଏହା ସହିତ ଏହାର ଭୌଗଳିକ ପ୍ରସାର ମଧ୍ୟ କମ ହୋଇଛି ଯାହାକି ଦେଶ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ । ଗୃହ ମନ୍ତ୍ରଣାଳୟର ଏହି ରିପୋର୍ଟରେ କୁହାଯାଇଛି ଯେ ସମୁଦାୟ ଭାବେ ହିଂସା ଘଟଣା ୪୧ ପ୍ରତିଶତ କମିଛି। ୨୦୧୩ ରେ ଏପରି ଘଟଣାର ସଂଖ୍ୟା ୧,୧୩୬ ଥିଲା ଯାହାକି ୨୦୨୦ରେ କମି ୬୬୫ ରେ ପହଞ୍ଚିଛି। ଏହା ସହିତ ବାମପନ୍ଥୀ ଉଗ୍ରବାଦରେ ହେଉଥିବା ମୃତ୍ୟୁ ୫୪ ପ୍ରତିଶତ କମିଛି।
୨୦୧୩ରେ ମାଓବାଦୀ ହିଂସା ଘଟଣାରେ ୩୯୭ ଜଣ ପ୍ରାଣ ହରାଇଥିଲେ, ୨୦୨୦ରେ ଏହି ସଂଖ୍ୟା ୧୮୩ରେ ପହଞ୍ଚିଛି । ୨୦୨୦ରେ ଛତୀସଗଡ଼ ସବୁଠାରୁ ଅଧିକ ମାଓବାଦୀ ହିଂସା ପ୍ରଭାବିତ ରାଜ୍ୟ ଥିଲା। ସେଠାରେ ୩୧୫ଟି ହିଂସା ଘଟଣା ହୋଇଥିବା ସହିତ ୧୧୧ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଝାଡ଼ଖଣ୍ଡ ରହିଛି ଯେଉଁଠି ୧୯୯ ହିଂସା ଘଟଣା ହୋଇଛି ଓ ୩୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଓଡ଼ିଶାରେ ୫୦ଟି ନକ୍ସଲ ହିଂସା ଘଟଣା ପଞ୍ଜୀକୃତ ହୋଇଥିବା ବେଳେ ଏଥିରେ ୯ ଜଣ ଲୋକଙ୍କର ଜୀବନ ହାନି ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।