‘ଜୀବଜନ୍ତୁମାନଙ୍କ ସଂରକ୍ଷଣ ଆମର ଦାୟିତ୍ୱ’; ୬୮ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲି ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେପରି ଅଧିକାର ରହିଛି, ସେହିପରି ପ୍ରତ୍ୟେକ ଜୀବଜନ୍ତୁମାନଙ୍କର ମଧ୍ୟ ସମାନ ଅଧିକାର ରହିଛି। ଜୀବଜନ୍ତୁମାନଙ୍କ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ।

ବନ୍ୟପ୍ରାଣୀ ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥବା ବିଭିନ୍ନ ପ୍ରତିଯୋଗିତାରେ କୃତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ଓଡ଼ିଶାର ଜୈବ ବିବିଧତା ଅତୁଳନୀୟ। ବନ୍ୟପ୍ରାଣୀ ଅଭୟାରଣ୍ୟରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ହାତୀ ଓ ଅନ୍ୟ ବନ୍ୟଜନ୍ତୁଜନିତ ଅପ୍ରରାଧ ରୋକିବାକୁ ଯୁଗ୍ମ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି। ଏପଟେ ନନ୍ଦନକାନନକୁ ଅନ୍ତର୍ଜାତୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି। ବନ୍ୟଜନ୍ତୁ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ଗତବର୍ଷ ଜଙ୍ଗଲ ଭିତରେ ଥିବା ୪୭୯ ପରିବାରକୁ ସ୍ୱେଚ୍ଛାକୃତ ସ୍ଥାନାନ୍ତର କରାଯାଇଛି।

ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ ଶାସନ ସଚିବ ଡ଼. ମୋନା ଶର୍ମାଙ୍କ ସୂଚନା ଅନୁଯାୟୀ ବନ୍ୟଜନ୍ତୁଙ୍କ ଦ୍ୱାରା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଅନୁଦାନ ଦେବାକୁ ଅନୁକମ୍ପା ଯୋଜନା ଆରମ୍ଭ ହୋଇଛି। ଏହା ଏକ ଅନଲାଇନ ଯୋଜନା। ଏହି ଯୋଜନା ଅନ୍ତର୍ଗତ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଆର୍ଥିକ ସହାୟତା ପାଇବାକୁ ଏଥିରେ ଆବେଦନ ଦାଖଲ କରିପାରିବେ, ଯେଉଁଥିରେ ସେମାନଙ୍କ ପରିବାରକୁ ସହାୟତା ମିଳିବ।

Related Posts