ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ବଡ଼ଧରଣର ଅଗ୍ନିକାଣ୍ଡ : ସମସ୍ତ ଅଧିକାରୀ ଓ କର୍ମଚାରୀ ସୁରକ୍ଷିତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟକାର୍ଯ୍ୟାଳୟରେ ଆଜି ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ANI ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଲୋଧି ରୋଡ ଅଞ୍ଚଳ ସ୍ଥିତ ସିଜିଓ କ‌ମ୍ପଲେକ୍ସ ନିକଟରେ ଥିବା ସିବିଆଇ ମୁଖ୍ୟକାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ବିଲ୍ଡିଂର ବେସମେଣ୍ଟରେ ନିଆଁ ଲାଗିଯାଇଥିଲା।  ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀର ୮ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ବିଭାଗୀୟ ଅଧିକାରୀ ଏସ.କେ ଦୁଆ କହିଛନ୍ତି, ନିଆଁକୁ ବର୍ତ୍ତମାନ ନିୟନ୍ତ୍ରଣ କରାଯାଇଛି।

ଅନ୍ୟପକ୍ଷରେ ଏହି କାର୍ଯ୍ୟାଳୟ ଭିତରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣା ପଡ଼ିଛି । ତେବେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ଅଗ୍ନିକାଣ୍ଡରେ କ’ଣ ସବୁ ନଷ୍ଟ ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଅଗ୍ନିକାଣ୍ଡର କାରଣ ମଧ୍ୟ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ ଚାଲିଛି।

Related Posts