
ଭୁବନେଶ୍ୱର: ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଲାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ସହ ସଫଳତା କାମନା କରିଛନ୍ତି ଉଭୟ ନେତା ।
ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି । ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହର ସହ ରାଜ୍ୟର ସମସ୍ତ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଚାଲିଛି । ରାଜ୍ୟର ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ସମୁଦାୟ ୫ ଲକ୍ଷ ୬୦ ହଜାର ୯୦୫ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ୫ ଲକ୍ଷ ୪୭ ହଜାର ୭୬୧ଟି ଜଣ ହାଇସ୍କୁଲ, ୯ ହଜାର ୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୩ ହଜାର ୩୩୭ଜଣ ମଧ୍ୟମା ପରୀକ୍ଷାର୍ଥୀ ସାମିଲ ଅଛନ୍ତି। ଶାନ୍ତିଶୃଙ୍ଖଳାର ସହିତ ପରୀକ୍ଷାର ସୁପରିଚାଳନା ଓ କପି ବନ୍ଦ ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇଂ ସ୍କ୍ଵାର୍ଡ ଓ ପରିଷଦସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଛି। ଆସନ୍ତା ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ ମଧ୍ୟରେ ଉତ୍ତର ଖାତା ମୂଲ୍ୟାୟନ ହେବ ବୋଲି ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି ।
ମାଟ୍ରିକ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ଉତ୍ତେଜନାପୂର୍ଣ୍ଣ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଯାଇଛି।
ପ୍ରଥମ ଦିନରେ ଆଜି (ଫେବୃଆରୀ ୧୯) ଓଡ଼ିଆ ପରୀକ୍ଷା ଥିବା ବେଳେ ଦ୍ୱିତୀୟ ଦିନ ଫେବୃଆରୀ ୨୨ (ଶନିବାର)ରେ ଇଂରାଜୀ, ତୃତୀୟ ଦିନ ଫେବୃଆରୀ୨୪ (ସୋମବାର)ରେ ସଂସ୍କୃତ/ହିନ୍ଦୀ, ଚତୁର୍ଥ ଦିନ ଫେବୃଆରୀ ୨୬ (ବୁଧବାର)ରେ ଗଣିତ ଅନୁଷ୍ଠିତ ହେବ। ସେହିଭଳି ଫେବୃଆରୀ ୨୮ (ଶୁକ୍ରବାର)ରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୨ (ସୋମବାର)ରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
ତେବେ ପରୀକ୍ଷା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଛାତ୍ର ଜୀବନର ପ୍ରଥମ ବଡ଼ ପରୀକ୍ଷା ହେଉଛି ‘ମାଟ୍ରିକ୍ ପରୀକ୍ଷା’। ଛାତ୍ରଛାତ୍ରୀମାନେ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ର ସମ୍ମୁଖୀନ ହେବେ। ତେଣୁ ସେମାନେ ଭୟ ନ କରି ନିଶ୍ଚିନ୍ତ ହୋଇ ପରୀକ୍ଷା ଦେବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ସେ କହିଛନ୍ତି କି ଉତ୍ତେଜନା ପ୍ରବଣ ପରୀକ୍ଷା କେନ୍ଦ୍ରଗୁଡ଼ିକ ଚିହ୍ନଟ କରି ସେଠାରେ ସିସିଟିଭି ଲଗାଯାଇଛି। ପରୀକ୍ଷା ଯେପରି ଶୃଙ୍ଖଳିତ ଭାବେ ଶେଷ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।