ନାବାଳିକା ବଳାତ୍କାର ମାମଲାରେ ବୟସ ପ୍ରମାଣ ପାଇଁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ସବୁଠାରୁ ଅଧିକ ପ୍ରମାଣଯୋଗ୍ୟ : ହାଇକୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ନାବାଳିକା ବଳାତ୍କାର ମାମଲାରେ ବୟସ ପ୍ରମାଣ ପାଇଁ ସବୁଠାରୁ ଅଧିକ ପ୍ରମାଣଯୋଗ୍ୟ ହେଉଛି ମାଟ୍ରିକ୍‌ ସାର୍ଟିଫିକେଟ୍‌। ଏକ ମାମଲାର ଶୁଣାଣି ସମୟରେ ଏଭଳି ଟିପ୍ପଣୀ କରିଛନ୍ତି ଓଡିଶା ହାଇକୋର୍ଟ। ଏକ ନାବାଳିକା ବଳାତ୍କାର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ନିମ୍ନ ଅଦାଲତ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ନିମ୍ନ ଅଦାଲତର ଦଣ୍ଡାଦେଶକୁ ରଦ୍ଦ କରିଦେଇଛନ୍ତି। ପୀଡ଼ିତା ନାବାଳିକାଙ୍କ ବୟସ ଏବଂ ବଳାତ୍କାର ନେଇ କୌଣସି ସ୍ପଷ୍ଟ ପ୍ରମାଣ ନଥିବା କାରଣରୁ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ତେଣୁ ଅଭିଯୁକ୍ତଙ୍କୁ ଆଇପିସିର ଧାରା ୩୭୬(୨)(ଆଇ) ଏବଂ ପୋକ୍‌ସୋ ଆଇନର ଧାରା ୪ (ନାବାଳିକାକୁ ବଳାତ୍କାର କରିବା)ରେ ଦଣ୍ଡିତ କରାଯିବା ଯଥାର୍ଥ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। 

ପୁରା ମାମଲା କଣ ? 

ମାମଲା ହେଉଛି, ପୀଡ଼ିତାଙ୍କ ବାପା ନୟାକୋଟ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅ ୨୦୧୪ ଅଗଷ୍ଟ ୨ରେ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଝିଅକୁ ବଳାତ୍କାର କରିଥିଲେ। ପୋଲିସ ଏହି ମାମଲା ଆଧାରରେ ୪ ତାରିଖରେ ଅଭିଯୁକ୍ତକୁ ଗିରଫ କରିଥିଲା। ପୀଡ଼ିତା ୧୨ ବର୍ଷର ହୋଇଥିବାରୁ ଅଭିଯୁକ୍ତ ବିରୋଧରେ ପୋକ୍‌ସୋ ଆଇନରେ ମାମଲା ରୁଜୁ କରାଯାଇଥିଲା। କେନ୍ଦୁଝର ଅତିରିକ୍ତ ସେସନ୍ସ ଜଜ୍‌ ଏହି ମାମଲାର ଶୁଣାଣି କରି ୨୦୧୭ ନଭେମ୍ବର ୧୦ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

କିନ୍ତୁ ଅଭିଯୁକ୍ତଙ୍କ ପକ୍ଷରୁ ଏହି ରାୟ ବିରୋଧରେ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା।ଏହି ମାମଲାର ଶୁଣାଣି ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ପୀଡ଼ିତାଙ୍କ ବୟସରେ ତାଳମେଳ ନଥିବା ଓ ଡାକ୍ତରୀ ମାଇନାରେ ପୀଡ଼ିତା ବଳାତ୍କାରର ଶିକାର ହୋଇଥିବାର ମଧ୍ୟ କୌଣସି ପ୍ରମାଣ ଅଭିଯୁକ୍ତ ବିରୋଧରେ ଯାଉନାହିଁ ବୋଲି ଅବଗତ ହୋଇଥିଲେ। ଅପରପକ୍ଷରେ ଏହି ମାମଲାରେ ପୀଡ଼ିତାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଯେଉଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ତାହାକୁ ଫେରାଇ ନଆଣିବା ପାଇଁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ ଏହି ଅବସରରେ କହିଛନ୍ତି ଯେ, ବୟସ ପ୍ରମାଣ ପାଇଁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ସବୁଠାରୁ ଅଧିକ ପ୍ରମାଣଯୋଗ୍ୟ ।

Related Posts