
ଭୁବନେଶ୍ୱର,୧୯/୩(ସତ୍ୟପାଠ ବ୍ୟୁରୋ): ଆମେରିକାର ନ୍ୟୁୟର୍କ ସହରରୁ ପ୍ରକାଶ ପାଉଥିବା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘ଟାଇମ୍’ ମାଗାଜିନ୍ରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାକୁ ସ୍ଥାନିତ କରାଯାଇଛି। ଟାଇମ୍ ମାଗାଜିନ୍ରେ ପ୍ରକାଶିତ ବିଶ୍ବର ୫୦ଟି ଅସାଧାରଣ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥାନ ଭିତରେ ଭାରତର ଦୁଇଟି ସ୍ଥାନ ଲଦାଖ ଓ ଓଡ଼ିଶାର ମୟୂରଭଞ୍ଜ ସ୍ଥାନ ପାଇଛି। ଟାଇମ୍ ମାଗାଜିନ୍ ଅନୁସାରେ ସମଗ୍ର ବିଶ୍ବରେ ଥିବା ସେମାନଙ୍କର ପ୍ରତିନିଧି ଓ ଖବରଦାତାମାନେ ପ୍ରଦାନ କରିଥିବା ତଥ୍ୟର ବିଶ୍ଳେଷଣ କରି ଏହି ୫୦ଟି ଶ୍ରେଷ୍ଠ ସ୍ଥାନ ମନୋନୀତ କରାଯାଇଛି।
ଓଡ଼ିଶାର ମୟୂରଭଞ୍ଜ ବିଷୟରେ ଟାଇମ୍ ମାଗାଜିନ୍ରେ ଲେଖାଯାଇଛି ଯେ, ଏହା ହେଉଛି ବିଶ୍ବର ଏକମାତ୍ର ସ୍ଥାନ ଯେଉଁଠି ବିରଳତମ କଳାବାଘ (ବ୍ଲାକ୍ ଟାଇଗର)ଙ୍କୁ ଦେଖିବାକୁ ମିଳେ। ମୟୂରଭଞ୍ଜର ଶିମିଳିପାଳ ଜାତୀୟ ଅଭୟାରଣ୍ୟ କିଛି କଟକଣା ସହ ଗତ ନଭେମ୍ବର ମାସରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଯାଇଛି। ଏସୀୟ ହାତୀ, ମହାବଳ ବାଘ ସମେତ ୪୦ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ ରହୁଥିବା ଏହି ଅଭୟାରଣ୍ୟର ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ଲାଗି ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ କଟକଣା କରାଯାଇଛି। ଦିନକୁ ୬୦ରୁ ଅଧିକ ଗାଡ଼ିକୁ ଭିତରକୁ ଯିବାକୁ ଅନୁମତି ମିଳୁନାହିଁ ବୋଲି ଟାଇମ୍ ମାଗାଜିନ୍ରେ ଲେଖାଯାଇଛି।
ଏଥିରେ ଆହୁରି କୁହାଯାଇଛି ଯେ, ୟୁନେସ୍କୋର ‘ଇନ୍ଟାଞ୍ଜିବୁଲ୍ କଲ୍ଚରାଲ ହେରିଟେଜ୍’ ତାଲିକାରେ ସ୍ଥାନିତ ହୋଇଥିବା ମୟୂରଭଞ୍ଜର ଛଉନୃତ୍ୟର ମଜା ଆସନ୍ତା ଏପ୍ରିଲରୁ ନେଇପାରିବେ, କୋଭିଡ୍ ମହାମାରୀ ଯୋଗୁ ଯାହାର ବଡ଼ଧରଣର ଆୟୋଜନ ପୂର୍ବରୁ ବନ୍ଦ ରହିଥିଲା। ପ୍ରାଚୀନ କଳା ଓ ଲୋକନୃତ୍ୟର ସମାହାରରେ ଛଉ ପ୍ରଦର୍ଶନ ବେଲଗାଡ଼ିଆ ପ୍ୟାଲେସ୍ରେ ଦେଖିବାକୁ ମିଳିବ। ଉକ୍ତ ରାଜପ୍ରାସାଦ ଏବେ ୧୧ ଶୟନକକ୍ଷ ବିଶିଷ୍ଟ ଏକ ହୋଟେଲରେ ପରିଣତ ହୋଇଛି। ଏହାବ୍ୟତୀତ ପର୍ଯ୍ୟଟକମାନେ ଜିଲ୍ଲାର ମହିଳାମାନଙ୍କ ହସ୍ତତନ୍ତ ଓ ଅନ୍ୟ କଳାକୃତିକୁ ମନଭରି ଦେଖିବା ସହ ସେଗୁଡ଼ିକୁ କିଣିପାରିବେ ବୋଲି ମାଗାଜିନ୍ରେ ପ୍ରକାଶ ପାଇଛି।
ସେହିପରି ଟାଇମ୍ ମାଗାଜିନ୍ ଅନୁସାରେ, ଭାରତର ଲଦାଖ ହେଉଛି ଆଲ୍ପ୍ସ ପର୍ବତମାଳାର ଭୂମିରୂପ ସହ ଏକ ତିବ୍ବତୀୟ ବୌଦ୍ଧ ସଂସ୍କୃତିର ସ୍ଥଳ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାର ଅଛି। ୨୦୨୩ ମସିହାରେ ଲଦାଖର ରାଜଧାନୀ ଲେହଠାରୁ ୧୬୮ ମାଇଲ ଦୂରରେ ଥିବା ହାନଲେ ଗ୍ରାମରେ ଭାରତ ସରକାର ଏହାର ପ୍ରଥମ ‘ଡାର୍କ ସ୍କାଇ ରିଜର୍ଭ’ ପ୍ରତିଷ୍ଠା କରିଛନ୍ତି। ଏଠାରୁ ବର୍ଷକୁ ପ୍ରାୟ ୨୭୦ ରାତିରେ ତାରକାମୟ ନିର୍ମଳ ସ୍ବଚ୍ଛ ଆକାଶକୁ ଦେଖିହୁଏ। ଜ୍ୟୋତିର୍ବିଜ୍ଞାନୀମାନଙ୍କ ଆକାଶ ପର୍ଯ୍ୟବେକ୍ଷଣ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ବୋଲି ପ୍ରକାଶ ପାଇଛି।
ଟାଇମ୍ ମାଗାଜିନ୍ରେ ସ୍ଥାନ ପାଇନଥିବା ବିଶ୍ବର ଅନ୍ୟ କେତୋଟି ଦର୍ଶନୀୟ ସ୍ଥାନ ଭିତରେ ଫ୍ଲୋରିଡ଼ାର ତାମ୍ପା, ଓରେଗନର ୱିଲାମେଟ ଉପତ୍ୟକା, ଆରିଜୋନାର ଟକସନ, ଆମେରିକାର ୱାସିଂଟନ ଡିସି, ଫ୍ରାନ୍ସର ଡିଜନ, ବାର୍ସେଲୋନା, ଭିଏନା, ଅଷ୍ଟ୍ରେଲିଆର କଙ୍ଗାରୁ ଦ୍ବୀପ, ମେକ୍ସିକୋ ସିଟି, କ୍ୟୋଟୋ, ଜେରୁଜେଲମ ଇତ୍ୟାଦି ରହିଛି।