ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ‘ବୟକଟ୍’ କରିଛି ଗଣମାଧ୍ୟମ: ଅଶୋକ ଗେହଲଟ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳ ପକ୍ଷରୁ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲୁଥିବା ଭାରତ ଯୋଡ଼ୋ ଯାତ୍ରା ଗତକାଲି ରାଜସ୍ଥାନରେ ପ୍ରବେଶ କରିଛି। ଏହିପରିପ୍ରେକ୍ଷୀରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଣମାଧ୍ୟମ ବିରୋଧରେ ଏକ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ଗଣମାଧ୍ୟମ ସମ୍ପୂର୍ଣ୍ଣ ବୟକଟ୍ କରିଛି। ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନେ ଏହି ଯାତ୍ରାକୁ ବର୍ଜନ କରିଛନ୍ତି। ଲକ୍ଷ ଲକ୍ଷ ଲୋକେ ଏହି ଯାତ୍ରାରେ ସାମିଲ ହେଉଛନ୍ତି। ଏତେ ବଡ଼ ଅଭିଯାନ ଆପଣ କେବେ ଦେଖି ନଥିବେ ବୋଲି ଗେହଲଟ କହିଛନ୍ତି। ଏହି ଅଭିଯାନକୁ ସାଧାରଣ ଲୋକଙ୍କୁ ଦେଖାଇବା ହେଉଛି ଗଣମାଧ୍ୟମର କର୍ତ୍ତବ୍ୟ। ରାହୁଲ ଗାନ୍ଧିଙ୍କ ଯାତ୍ରା ସକରାତ୍ମକ ଓ ତାଙ୍କ ଚିନ୍ତାଧାରା ମଧ୍ୟ ସକରାତ୍ମକ ବୋଲି ଗେହଲଟ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ କେଣେ ହିଂସା ସୃଷ୍ଟି ହୋଇ ନାହିଁ । ଯଦି ଆପଣ ଏହି ଯାତ୍ରାକୁ ଗଣମାଧ୍ୟମରେ ପ୍ରଦର୍ଶନ କରୁନାହାନ୍ତି ତେବେ ଆପଣଙ୍କର ଦେଶ ପ୍ରତି ଥିବା କର୍ତ୍ତବ୍ୟ କରିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି । ସେହିପରି ଗଣମାଧ୍ୟମ ଉପରେ ରାଗିଯାଇ ତାଙ୍କ କଥା ଧ୍ୟାନ ଦେଇ ଶୁଣିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଇତିହାସ ଆପଣଙ୍କୁ କେବେ କ୍ଷମା ଦେବ ନାହିଁ। ଆପଣ ଏହାକୁ ଏକ ଜୋକ୍‌ ଭାବିଛନ୍ତି କହି ଗଣମାଧ୍ୟମ ବିରୋଧରେ ନିଜର କ୍ଷୋଭ ପ୍ରକାଶ କରିଥିଲେ ଗେହଲଟ। ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ଗେହଲଟ କହିଛନ୍ତି ଯେ, ଆପଣମାନେ ନିଜ ହାଇ କମାଣ୍ଡ ପାଖକୁ ଯାଆନ୍ତୁ ଏବଂ ସଠିକ୍ କାମ କରିବା ପାଇଁ କୁହନ୍ତୁ।

ସୂଚନାଯୋଗ୍ୟ ଯେ, ଗତକାଲି ଏହି ଯାତ୍ରା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରୁ ରାଜସ୍ଥାନରେ ପ୍ରବେଶ କରିଥିଲା। ଏହି ସମୟରେ ରାହୁଲଙ୍କ ସହ ଉଭୟ ପରସ୍ପର ବିରୋଧୀ ନେତା ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କୁ ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବରୁ ପାଇଲଟଙ୍କୁ ଗଦ୍ଦାର କହିଥିଲେ ଗେହଲଟ।

ସୂଚନା ଅନୁଯାୟୀ, ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ କନ୍ୟାକୁମାରୀ ଠାରୁ କଶ୍ମୀର ଯାଏ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୩୫୦୦ କମି ପଦଯାତ୍ରାକୁ ୧୫୦ ଦିନ ମଧ୍ୟରେ ଶେଷ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି।କଂଗ୍ରେସ ନେତା ଓ କର୍ମୀମାନେ ଲୋକମାନଙ୍କ ପାଖରେ ପହଞ୍ଚି କ୍ଷମତାସୀନ ବିଜେପିର ଜନ ବିରୋଧୀ ନୀତି ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।

Related Posts