ଏୟାର ଇଣ୍ଡିଆ ଲୋଗୋ ମହାରାଜା ଏବଂ ମନ୍ତ୍ରୀ ସିନ୍ଧିଆ ବି ମହାରାଜା , ଏବେ ଦୋନୋ ବିକାଉ ହୈ – ବାଘେଲ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସ ଛାଡି ବିଜେପିରେ ସାମିଲ୍ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମ ଥର ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି ସିନ୍ଧିଆ।ଛତିଶଗଡର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୁପେଶ ବାଘେଲ ତାଙ୍କୁ ବିକାଉ ବୋଲି କହିଛନ୍ତି। ଭୁପେଶ ବାଘେଲ କହିଛନ୍ତି ଯେ – ,” କେନ୍ଦ୍ର ସରକାର ଏବେ ଏୟାର ଇଣ୍ଡିଆ ବିକ୍ରି କରିବାକୁ ଯାଉଛନ୍ତି ଏବଂ ସେହି ମନ୍ତ୍ରଣାଳୟର ଦାୟିତ୍ୱ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହାତରେ ଦିଆଯାଇଛି। ଏୟାର ଇଣ୍ଡିଆର ଲୋଗୋ ହେଉଛି ‘ମହାରାଜା’ । ଉଭୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏୟାର ଇଣ୍ଡିଆ ବିକ୍ରି ହେବାକୁ ଯାଉଛି ।

   ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି – ଗୋଟିଏ ନିଲାମ ହେବାକୁ ଯାଉଛି ଏବଂ ଅନ୍ୟ ଜଣକୁ (ଜ୍ୟୋତିରାଦିତ୍ୟ ସିନ୍ଧିଆ) ବିକ୍ରି କରିବାର ଦାୟିତ୍ବ ଦିଆଯାଇଛି।  ସୂଚନାଯୋଗ୍ୟ ଯେ ନିକଟରେ ମୋଦୀ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି।ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ୍ ବିସ୍ତାର ଥିଲା। ଏଥିରେ ମଧ୍ୟପ୍ରଦେଶର ବିଜେପିର ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

 ମୋଦୀଙ୍କ କ୍ୟାବିନେଟରେ ୩୬ ଟି ନୂତନ ଚେହେରା ସହିତ ମୋଟ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିବାବେଳେ ୭ଜଣ ମନ୍ତ୍ରୀ ପଦୋନ୍ନତି ପାଇଛନ୍ତି। ବର୍ତ୍ତମାନ ମୋଦୀ କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୭୮ କୁ ବୃଦ୍ଧି ପାଇଛି।

 ପ୍ରକାଶ ଥାଉକି ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ବର୍ଷ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେ ବିଜେପିରେ ଯୋଗ ଦେବା ସହ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକଙ୍କୁ ବିଜେପିରେ ସାମିଲ୍ କରି ରାଜ୍ୟର କମଲ ନାଥ ସରକାର ଭାଙ୍ଗି ଦେଇଥିଲେ।  ଏହା ପରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ରାଜ୍ୟରେ ନୂତନ ସରକାର ଗଠନ କରାଯାଇଥିଲା। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କେନ୍ଦ୍ରରେ ମନ୍ତ୍ରୀ ହେବା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଟାର୍ଗେଟ କରାଯାଉଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କଟାକ୍ଷ କରି କହିଥିଲେ ଯେ,’ ଦେଖିବା ଗାଡି କେତେଦିନ ଗଡୁଛି। ‘ 

Related Posts