୨୩ରୁ ଖୋଲିବ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ

bbsr

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ କଟକଣା ମଧ୍ୟରେ ଖୋଲିବା ପାଇଁ ଯାଉଛି । ନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ତେବେ ଦର୍ଶନ ପାଇଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ପାରିବେ, କିନ୍ତୁ ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।

ଏହା ସହ ଭକ୍ତମାନେ ସାଙ୍ଗରେ ଭୋଗ ନେଇ ଯାଇପାରିବେ ନାହିଁ। ମନ୍ଦିର, ମସ୍‌ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଭିତରକୁ ଏକାଥରକେ କେବଳ ସେତିକି ଭକ୍ତଙ୍କୁ ପ୍ରବେଶ ମିଳିବ ଯେପରିକି ସେମାନଙ୍କ ମଧ୍ୟରେ ସେଠାରେ ୬ ଫୁଟ୍ ଦୂରତା ରହିପାରିବ। କୌଣସି ସ୍ଥିତିରେ ଧର୍ମାନୁଷ୍ଠାନ ଭିତରେ ସାମାଜିକ ଦୂରତ୍ୱ କଟକଣାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ। ଅତିବେଶିରେ ଗୋଟିଏ ଥରରେ ୨୫ ଜଣ ଭକ୍ତଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇପାରିବ ବୋଲି ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ କୁହାଯାଇଛି।
କଣ ସବୁ ରହିଛି କଟକଣା:
ଆରଟିପିସିଆର ନେଗେଟିଭ ରିପୋର୍ଟ ସହିତ ଦ୍ୱିତୀୟ ଡୋଜ ଟିକାକରଣ ସାର୍ଟିଫିକେଟ ଥିବା ସେବାୟତ, କମକର୍ତ୍ତାଙ୍କୁ ଧର୍ମାନୁଷ୍ଠାନରେ ଠାକୁରଙ୍କ ନୀତିକାର୍ଯ୍ୟ କରିବାକୁ ଅନୁମତି ମିଳିବ । ଏହା ସହ ସମସ୍ତ ସେବାୟତ କଟକଣାକୁ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଧର୍ମାନୁଷ୍ଠାନର କତ୍ତୃପକ୍ଷମାନେ ପ୍ରବେଶ ଓ ପ୍ରସ୍ଥାନ ପଥରେ ଶ୍ରଦ୍ଧାଳୁଙ୍କ ହାତ ଧୋଇବା କିମ୍ବା ସାନିଟାଇଜରର ବ୍ୟବସ୍ଥା କରିବା ବାଧ୍ୟତାମୂଳକ । ଏହା ସହ ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ଛେପ ପକାଇବା କିମ୍ବା ପାନ, ଗୁଟଖା ଖାଇବା ନିଷେଧ କରାଯାଇଛି । ସେହିପରି ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା, ବୟସ୍କ ଏବଂ ୧୮ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିର ତଥା ଧର୍ମାନୁଷ୍ଠାନ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଶ୍ରୀ ଲିଙ୍ଗରାଜ ମନ୍ଦିର ୨୩ ତାରିଖରେ ଖୋଲିବ କି ତା’ପରେ ଖୋଲିବ, ସେ ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେବେ ବୋଲି କୁହାଯାଇଛି।

ଏକ ସାଙ୍ଗରେ ୧ଶହ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ସେଠାରେ ମଧ୍ୟ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ପାଇଁ ଅନୁମତି ନାହିଁ । ଏହା ସହ କୌଣସି ସେବାୟତ ଭକ୍ତଙ୍କୁ ନେଇ ଗର୍ଭଗୃହରେ ଦର୍ଶନ କରାଇ ପାରିବେ ନାହିଁ । ଭିଡ ନିୟନ୍ତ୍ରଣ ପାଇଁ ବିଏମସି ପକ୍ଷରୁ ମନ୍ଦିର ପାଶ୍ୱରେ ବ୍ୟାରିକେଡ ସହ ଅନାଧିକାର ପ୍ରବେଶକୁ ରୋକିବା ପାଇଁ ପୁଲିସ ମୁତୟନ କରାଯିବ । କୌଣସି ସ୍ଥାନରେ ଏହାର ଖିଲାଫ ହେଲେ ସମ୍ପୃକ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Related Posts