ପାଖେଇଲା ଖାତାଦେଖା ତାରିଖ, ଟେନସନରେ ମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ : ପରୀକ୍ଷା କରିବା ପାଇଁ ମନ୍ତ୍ରୀ କରି ଦିଆଗଲା । ବିଭାଗ ବି ଧରାଇ ଦିଆଗଲା । ମାସିକିଆ ପରୀକ୍ଷାରେ କିଏ କେତେ ମାର୍କ ରଖିବ ସେନେଇ ଆଗାମୀ ୭ ତାରିଖରେ ଖାତାଦେଖା ହେବ । ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ଦେଖି ନମ୍ବର ଦେବେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପରେ ଏହା ପ୍ରଥମ ମାସ ହୋଇଥିବାରୁ ନିଜର ରିପୋର୍ଟକୁ ନେଇ ଚିନ୍ତାରେ ମନ୍ତ୍ରୀମାନେ ।

ପଂଚମ ପାଳିରେ ଗାଦିସୀନ ହେଉ ହେଉ ସବୁ ବିଭାଗର ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମାସର ୭ ତାରିଖରେ ମନ୍ତ୍ରୀମାନେ ରିପୋର୍ଟ କାର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ମନ୍ତ୍ରୀମାନେ ୫ ତାରିଖ ସୁଦ୍ଧା ନିଜ ବିଭାଗର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ଦେଖାଇବାକୁ ସଚିବଙ୍କୁ କହିଛନ୍ତି । ୫ ତାରିଖରେ ମନ୍ତ୍ରୀମାନେ ନିଜେ ରିପୋର୍ଟ କାର୍ଡ ଦେଖି ଅପଡେଟ୍ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ରିପୋର୍ଟ ପ୍ରସ୍ତୁତି ପାଇଁ ହାତରେ ମାତ୍ର କେଇ ଘଂଟା ଥିବାରୁ ସମସ୍ତେ ଏବେ ବ୍ୟଗ୍ର, ବ୍ୟସ୍ତ ଓ ବିବ୍ରତ ।

ଗଲାଥର ବି ଏହି ରିପୋର୍ଟ କାର୍ଡ ବ୍ୟବସ୍ଥା ହୋଇଥିଲା କିନ୍ତୁ କୋହଳ ଥିଲେ ମୁଖିଆ । ଏଥର କିନ୍ତୁ ଭିତିରିଆ କହି ଦିଆଯାଇଛି, ଯିଏ କମ୍ ନମ୍ବର ରଖିବ ସିଏ ଆଉଟ୍ ହେବ । କାରଣ ବାହାରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି, ଯେଉଁମାନେ ପାରିବାର ତ ପୁଣି ସଂଗଠନ ପାଇଁ ପରିଶ୍ରମ କରିବି ମନ୍ତ୍ରୀ ହୋଇ ନାହାଁନ୍ତି । କିନ୍ତୁ ସେମାନଙ୍କୁ ସ୍ଥାନରେ ଅନ୍ୟଦଳରୁ ଆସିଥିବା ବା ଆବଶ୍ୟକତା ସ୍ଥଳେ କିଛି ଜଣଙ୍କୁ ନୁଆ କରି ମନ୍ତ୍ରୀ କରାଯାଇଛି । ସେତେବେଳେ କେବଳ କ୍ରାଇସିସ୍ ମ୍ୟାନେଜମେଂଟ ଛଡା ଆଉ କିଛି ବିକଳ୍ପ ନଥିବାରୁ ଏବେ ରିପୋର୍ଟ କାର୍ଡ ବାହାନାରେ କିଛି ନୂଆମନ୍ତ୍ରୀଙ୍କୁ ବିଦା କରି ପୁରୁଖା ମୁହଁଙ୍କୁ ଚାନ୍ସ ଦେବା ସମ୍ଭବ ହୋଇପାରେ ।

ନୂଆ ମନ୍ତ୍ରୀ ମଣ୍ଡଳ ଗଢ଼ା ହେବା ପରେ ମନ୍ତ୍ରୀମାନଙ୍କ ଜୋସ୍ ପୁରା ହାଏ ଥିଲା ଭଳି ଜଣାପଡିଥିଲା । ନବଦାସ ହୁଅନ୍ତୁ କି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କିମ୍ବା ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ । ନୂଆ ନୂଆ ମନ୍ତ୍ରୀପଦ ପାଇଥିବା ନେତାଏ ବିଭାଗର କାମକୁ ନେଇ ବେଶ୍ ତତ୍ପରତା ଦେଖାଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ମନ୍ତ୍ରୀମାନଙ୍କୁ ଢ଼େର ପ୍ରଶଂସା ବି ମିଳିଥିଲା ।

ମାଟ୍ରିକ ପରୀକ୍ଷାରେ ଜିରୋ ରେଜଲ୍ଟ ଥିବା ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ପୁଣି ପ୍ରାଥମିକ ବିଦ୍ୟାଳୟରେ ସ୍ପୋକେନ ଇଂଲିଶ ପଢ଼ାଇବା ଠୁ ନେଇ ୯୦୦ସ୍କୁଲକୁ ବନ୍ଦ କରିବା ଭଳି ପଦକ୍ଷେପ ପାଇଁ ସୋସିଆଲ ମିଡିଆରେ ମାସ ସାରା ଟ୍ରେଣ୍ଡ କରିଥିଲେ ସମୀର ।

ଠିକ ସେମିତି ଟିକଟକ ଭାଇରାଲ ଭିଡିଓର ରିପୋର୍ଟ ମଗାଠୁ ନେଇ ବିହାର ଲିଚୁ ଉପରେ ପ୍ରତିବନ୍ଧକ ଲାଗିବା ଯାଏ ସବୁ ବେଳେ ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ଦାୟିତ୍ୱ ଗ୍ରହଣ କରୁ କରୁ ଏସସିବି ମେଡିକାଲ ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ତଦାରଖ କରି ସମସ୍ତଙ୍କ ମନ ଜିଣିଥିଲେ ନବ ।

ଅବଶ୍ୟ ଏମାନଙ୍କ ଭଳି ଅନ୍ୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ ବି ଏତେଟା ସାମ୍ନାକୁ ଆସି ନାହାଁନ୍ତି । ପୁରା ମାସ ସାରାରେ ଏସଏସି, ଏସଟି ବିଭାଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ସଂସ୍କୃତି ବିଭାଗ , ବୟନ ଓ ହସ୍ତତନ୍ତ, ସ୍କିଲ ଡେଭଲପମେଣ୍ଟ ସହ ଖାଦ୍ୟ ଯୋଗାଣ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ଯୋଜନା ଓ ସମନ୍ୱୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ସେଭଳି ଠୋସ୍ ପଦକ୍ଷେପ ଦେଖିବାକୁ ମିଳିନାହିଁ । ଯେଉଁଥିପାଇଁ ସେହି ବିଭାଗର ମନ୍ତ୍ରୀମାନେ ଏତେଟା ଚର୍ଚ୍ଚାକୁ ଆସି ନାହାଁନ୍ତି ।

ତେବେ ସବୁ ବିଭାଗ ରିପୋର୍ଟ କାର୍ଡ ପ୍ରସ୍ତୁତି କରି ସାରିଥିବା ବେଳେ ମନ୍ତ୍ରୀମାନେ ଆଗାମୀ ୫ ତାରିଖରେ ସେଥିରେ କେବଳ ଫାଇନାଲ ଟଚ୍ ଦେବା ବାକି ଅଛି । କିନ୍ତୁ ରିପୋର୍ଟ କାର୍ଡ ଆଧାରରେ କାହା ପ୍ରଗତୀପତ୍ରରେ ନବୀନ ବାବୁ କେତେ ମାର୍କ ଲେଖୁଛନ୍ତି ତାକୁ ଦେଖିବାକୁ ସମସ୍ତଙ୍କର ଛାତି ଏବେ ଧଡଧଡ…

Related Posts