ଦଳଭାଇଙ୍କୁ ଦଳପତିଙ୍କ ନିର୍ଦ୍ଦେଶ: ବଡ ଗାଡି ଚଢନି, ମୋଟା ଚେନ୍ ପକାଅନି

ସତ୍ୟପାଠ ବ୍ୟୁରୋ : ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସମସ୍ୟାକୁ ବୁଝ । ନବ ନିର୍ବାଚିତଙ୍କ ସହ ସମସ୍ତ ଦଳୀୟ ବିଧାୟକଙ୍କୁ ଏହି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀ ସହ ସମ୍ପର୍କରେ ରହି ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ଦଳୀୟ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ।

ଯାହା କହିବାକୁ ଭଲ ଲାଗିବ । କାନକୁ ବି ଭଲ ଶୁଭିବ । ଠିକ୍ ସେଇକଥା କହିଛନ୍ତି ନବୀନ । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବାକୁ ଚେଷ୍ଟା କର । ଭଦ୍ର, ନମ୍ର ହୋଇ ରୁହ । ସରଳ ଜୀବନ ଯାପନ କର । ବଡ ଗାଡି ଚଢ଼ନି । ବିଳାସ ବ୍ୟସନ ତ୍ୟାଗ କର । ଦଳ ଦେଖନି, ସମସ୍ତଙ୍କ ପାଇଁ କାମ କର । ଦଳୀୟ ବିଧାୟକଙ୍କ କ୍ଲାସ ନେଇ ଆଜି ଏହି ପରାମର୍ଶ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଅଂହ ଭାବ ଓ ଗର୍ବ ତ୍ୟାଗ କରି ଭଦ୍ର ଓ ନମ୍ର ହେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ପାଟଣାଗଡ ବିଧାୟକ ସରୋଜ ମେହେର ସରକାରୀ ଅଧିକାରୀଙ୍କୁ ପିଟି ଗିରଫ ହୋଇ ଜେଲ ଯିବା ପରେ ନବୀନ ଏହି ପରାମର୍ଶ ଦେବାକୁ ବାଧ୍ୟ ହୋଇଥିବା କୁହାଯାଉଛି । ଖାଲି ସେତିକି ନୁହେଁ କାଳେ ବଡ ଗାଡି ଚଢ଼ିଲେ, ବେକରେ ମୋଟା ସୁନା ଚେନ ପକାଇଲେ କିମ୍ବା ବିଳାସ ବ୍ୟସନ ଜୀବନଯାପନ ଦେଖିଲେ ଲୋକେ ୟୁଟର୍ଣ୍ଣ ମାରିବେ ଆଉ ଦଳକୁ ଲୋକଙ୍କ ସମର୍ଥନ ମିଳିବନି ସେଥିପାଇଁ ଏହି ନୁଆ ନିର୍ଦ୍ଦେଶନାମା ଜାରୀ କରାଯାଇଥିବା ଚର୍ଚ୍ଚା ହେଉଛି ।

Related Posts