
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗରେ ବିଜେପିକୁ ହରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି। ଏହା ମଧ୍ୟରେ ସେ ମୁମ୍ବାଇରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି। ତେବେ ଏହି ବୈଠକରେ “ମିଶନ୍ ୨୦୨୪ ” ଅର୍ଥାତ୍ ପରବର୍ତ୍ତୀ ସାଧାରଣ ନିର୍ବାଚନକୁ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ପ୍ରଶାନ୍ତ କିଶୋରଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ଓ ଷ୍ଟାଲିନ୍ ଙ୍କୁ ସହଯୋଗ କରିଥିବା ପ୍ରତ୍ୟେକ ନେତାଙ୍କୁ ଭେଟିବେ। ତେବେ ଏହି ବୈଠକକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। କୁହାଯାଉଛି ଯେ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ଏକ ମିଳିତ ଗଠବନ୍ଧନ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେ ନିର୍ବାଚନ ରଣନୀତି କାର୍ଯ୍ୟ ଛାଡି ଦେବା ନେଇ ଘୋଷଣା କରିଥିଲେ। ସେ କହିଥିଲେ, ” ମୁଁ ମୋ ଜୀବନରେ ଅନେକ କିଛି ହାସଲ କରିଛି। ତେଣୁ ମୁଁ ଏହି ସ୍ଥାନ ଛାଡିବାକୁ ଚାହୁଁଛି। ” ତେବେ ରାଜନୀତିରେ ପ୍ରବେଶ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, “ମୁଁ ଜଣେ ବିଫଳ ରାଜନେତା। ମୋତେ କଣ କରିବାକୁ ପଡିବ ସେ ସମ୍ପର୍କରେ ମୋତେ ପୁନଃ ବିଚାର କରିବାକୁ ପଡିବ। “