ଏମଏଲଏ ବର କୁ, ଏମଏଲଏ କନ୍ୟା ପିତା ; ଲଜ୍ଜ୍ୟା ଘୋର ଲଜ୍ଜ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବ୍ୟୋମକେଶଙ୍କ ପ୍ରଥମ ପତ୍ନୀ ନୀଳିମାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଏହା ଦ୍ୱିତୀୟ ବିବାହ ଥିଲା। ଚିଲିକାର ଏକ ରିସର୍ଟରେ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ତେବେ ଏହି ବିବାହ ଉତ୍ସବରେ କୋଭିଡ୍ ଗାଇଡଲାଇନର ଉଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ବିଧାୟକ ମାସ୍କ ନପିନ୍ଧି କୋଭିଡ୍ ଗାଇଡଲାଇନର ଉଲଂଘନ କରି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ” ତାଙ୍କ ପାଇଁ ବାଟ ମେଲା, ଆମ ପାଇଁ ବୁଜା। ସେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି, ହଇଓ ନବୀନ ବାବୁ କାଲି ତ କଣ ତମ ଏମଏଲଏ ମାସ୍କ ନପିନ୍ଧି ନାଚି କି ଧୁଆଁ କରି ଦେଇଛନ୍ତି। ” ବିଜେଡି ବିଧାୟକଙ୍କ ବିବାହକୁ ନେଇ ସୁର ରାଉତରାୟ ଉଭୟ ବର କନ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ବିବାହରେ ଅନ୍ୟ ଜଣେ ବିଧାୟକ କର୍ତ୍ତା ହେବାକୁ ନେଇ କଟାକ୍ଷ କରିଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ” ଜଣେ ଏମଏଲଏ ବରର ବାପା ହୋଇଯାଇଛନ୍ତି। ଆଉ ଗୋଟାଏ ଏମଏଲଏକୁ ଡାକିଲନି ବୋଉ ହୋଇଯାଇଥାନ୍ତା … ଲଜ୍ଜ୍ୟା ଘୋର ଲଜ୍ଜ୍ୟା। ସେଇ ଝିଅର ବାପାକୁ କହିଲନି ହାତଗଣ୍ଠି ପକେଇଥାନ୍ତେ। ସେଇ ଝିଅର ବାପା କର୍ତ୍ତା ହୋଇ ବସିଥାନ୍ତା। ” ସୂଚନାଯୋଗ୍ୟ ଯେ , ୨୦୨୦ ଫେବୃୟାରୀରେ ବ୍ୟୋମକେଶଙ୍କ ପ୍ରଥମ ପତ୍ନୀ ନୀଳିମାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ୨୦୧୪ରେ ସେ ନୀଳିମାଙ୍କୁ ବିବାହ କରିଥିଲେ।

Related Posts