ପଢନ୍ତୁ କେଉଁ ସର୍ତ୍ତରେ ମିଳିଲା ବିଧାୟକଙ୍କୁ ଜାମିନ…

କନିଷ୍ଠ ଯନ୍ତ୍ରୀଙ୍କୁ ବସ୍‌ଉଠ୍‌ କରାଇବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡ଼ି ବିଧାୟକ ସରୋଜ ମେହେରଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି । ମାମଲାର ଶୁଣାଣୀ କରି ପାଟଣାଗଡ଼ ଏଡିଜେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସରୋଜଙ୍କୁ ୨୫ ହଜାର ଟଙ୍କା ଜରିମାନା ଓ ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି ।

ଗତ ୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ସତ୍ୟପାଠ ଦାଖଲ ପାଇଁ ସେହିଦିନ ଉଭୟ ଜେଇ ଏବଂ ତାଙ୍କ ପତ୍ନୀ ସମୟ ମାଗିଥିଲେ। ଏହା ପରେ ବିଧାୟକଙ୍କୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା। ସେହିଭଳି ସେଦିନ ଓକିଲଙ୍କ ଆନ୍ଦୋଳନ ଯୋଗୁ ବିଧାୟକ ଓ ତାଙ୍କ ପ୍ରତିପକ୍ଷ ନିଜେ ମାମଲା ଲଢ଼ିଥିଲେ। ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି କରିବା ପାଇଁ ଭୁବନେଶ୍ୱରରେ ସ୍ପେଶିଆଲ ଜଜ୍ ନିଯୁକ୍ତ କରାଯାଇଛି। ତେଣୁ ଏହି ମାମଲା ପାଟଣାଗଡ଼ ଏଡିଜେ କୋର୍ଟରୁ ଏଠାକୁ ସ୍ଥାନାନ୍ତର ହୋଇଛି।

ସୂଚନାଯୋଗ୍ୟ, ଗତ ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ ମେହେର । ନିମ୍ନମାନର ରାସ୍ତା କାମ ହୋଇଥିବା ଅଭିଯୋଗରେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଦଣ୍ଡିତ କରିଥିଲେ । ପାଞ୍ଚ ମିନିଟ୍‌ରେ ଶହେ ଥର ଉଠ୍‌ବସ୍‌ ନ ହେଲେ ନିସ୍ତୁକ ମାଡ଼ ମାରିବେ ବୋଲି କହିଥିଲେ । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ଏବଂ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ଏ ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଗତ 24 ତାରିଖରେ ବିଧାୟକଙ୍କୁ ଗିରଫ କରାଯାଇଛି । ଜୁଲାଇ ପହିଲାରେ ଭୁବନେଶ୍ୱର ଏଡିଜେ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା ।

Related Posts