ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ତାଙ୍କ ପ୍ରସ୍ତାବିତ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି। ରାଜ ଠାକରେ ଜୁନ୍ ପାଞ୍ଚ ତାରିଖରେ ଅଯୋଧ୍ୟାକୁ ଯିବାର ଥିଲା । ଏ ଖବର ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗରେ ମଧ୍ୟ ଅନେକ ରାଜନୀତି ହୋଇଥିଲା । ଲୋକମାନେ ତାଙ୍କ ଗସ୍ତ ଉପରେ ପ୍ରଶ୍ନ କରିଥିଲେ ଯେ ସେ ଧାର୍ମିକ ନୁହେଁ ବରଂ ସେ ରାଜନୈତିକ ଉଦ୍ଦେଶ୍ୟରେ ଅଯୋଧ୍ୟାକୁ ଯାଉଛନ୍ତି। ସେପଟେ ରାଜ ଠାକରେଙ୍କ ଏହି ଗସ୍ତକୁ ବିଜେପି ନେତାମାନେ ମଧ୍ୟ ବିରୋଧ କରୁଥିଲେ। ଉତ୍ତର ଭାରତୀୟଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବାରୁ ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂ ଏମଏନଏସ ମୁଖ୍ୟଙ୍କୁ କ୍ଷମା ମାଗିବାକୁ କହିଥିଲେ । ଯଦି ରାଜ ଠାକରେ କ୍ଷମା ମାଗନ୍ତି ନାହିଁ, ତେବେ ସେ ତାଙ୍କୁ ଅଯୋଧ୍ୟାରେ ପ୍ରବେଶ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ ଏପ୍ରିଲ୍ ୧୭, ୨୦୨୨ ରେ, ଏମଏନଏସ ମୁଖ୍ୟ ପୁଣେରେ ଘୋଷଣା କରିଥିଲେ ଯେ ସେ ପ୍ରଭୁ ରାମଙ୍କ ଆଶୀର୍ବାଦ ପାଇବା ପାଇଁ ଜୁନ୍ ୫ ରେ ଅଯୋଧ୍ୟା ଗସ୍ତ କରିବେ। ସେ କହିଥିଲେ- “ରାମ ମନ୍ଦିର ପାଇଁ କେତେ ସେବକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର ଥିବାରୁ ସେଠାରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଉଛି। ସେଥିପାଇଁ ମୁଁ ନିର୍ମାଣର ପ୍ରାରମ୍ଭିକ ପର‌୍ୟ୍ୟାୟରେ ସେଠାକୁ ଯିବାକୁ ଚାହୁଁଛି । ପରେ, ମନ୍ଦିର ପ୍ରସ୍ତୁତ ହୋଇଗଲେ ସମସ୍ତେ ଏହାକୁ ଦେଖିବେ ବୋଲି ରାଜ ଠାକରେ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।