ଆପ୍ ଅଚଳ ଯୋଗୁଁ ଖତ ଖାଉଛି ମୋ ସାଇକେଲ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟ ସରକାରଙ୍କ “ମୋ ସାଇକେଲ” ଏବେ କବାଡିଖାନାରେ। ଏହାକୁ ନେଇ ବିବାଦ ଜୋର୍ ଧରିଥିବା ବେଳେ  “ମୋ ସାଇକେଲ” ବ୍ୟବହାର ପାଇଁ ପ୍ରସ୍ତୁତ ‘ଆପ୍‍’ ପାଇଁ ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉନଥିବା ଜଣାପଡିଛି । ପ୍ରଥମେ ତିନିଟି କମ୍ପାନୀର ସାଇକେଲ ପାଇଁ ୩ ପ୍ରକାରର ଆପ୍‍ ଆବଶ୍ୟକ ହେଉଥିଲା, କିନ୍ତୁ ବର୍ତ୍ତମାନ ଏହି ଆପ୍‍ ଏକ ପ୍ରକାର ଅଚଳ ହୋଇଯାଇଛି। 

ପ୍ରକାଶ ଥାଉକି , ସ୍ମାର୍ଟସିଟି ଭୁବନେଶ୍ୱରରେ ସାଇକେଲିଂକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ମସିହା ହକି ବିଶ୍ୱକପ୍‌ ସମୟରେ ଆରମ୍ଭ ହୋଇଥିଲା ମୋ ସାଇକେଲ୍ ଯୋଜନା। ସରକାର କହିଥିଲେ ଯେ, ପ୍ରତି ସାଇକେଲ ୨୫,୦୦୦ ଟଙ୍କା କିଣିଥିଲେ ,ଆଉ ଏଥିପାଇଁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ହୋଇଥିଲା । ଏଥିରେ ତିନିଟି କମ୍ପାନୀ ଯଥା ୟୁଲୁ, ହେକ୍ସି ଓ ୟୁନୋ କମ୍ପାନୀର ସାଇକେଲ ସାମିଲ ହୋଇଥିଲା ।  ୟୁଲୁ ଓ ୟୋନୋ କମ୍ପାନୀଠାରୁ ୫୦୦ ଲେଖାଏଁ ସାଇକଲ୍ କିଣାଯାଥିବା ବେଳେ ହେକ୍ସି କମ୍ପାନୀ ୧୦୦୦ ସାଇକଲ୍ ଯୋଗାଇଥିଲା। ଏବେ ହେକ୍ସି କମ୍ପାନୀର ୩୦୦ ସାଇକେଲ୍‌ ଗାଏବ ହୋଇଥିବା ଜଣାପଡ଼ିଛି।  ଲୋକଙ୍କ ସୁବିଧା ପାଇଁ ମୋ ସାଇକେଲ ଆପ୍‍ ପ୍ରସ୍ତୁତ ହୋଇଥିଲା। କିନ୍ତୁ ତିନି କମ୍ପାନୀର ସାଇକେଲ ପାଇଁ ମୋବାଇଲ୍‍ରେ ତିନି ପ୍ରକାର ଆପ୍‍ ଅପଲୋଡ ସହିତ ଏଥିପାଇଁ ଟଙ୍କା ଦେବାକୁ ପଡୁଥିଲା । କାରଣ ସବୁ ସ୍ଥାନରେ ସବୁ କମ୍ପାନୀର ସାଇକେଲ ଉପଲବ୍ଧ ହେଲା ନାହିଁ ।

ସ୍ମାର୍ଟ ସିଟି ଭୁବନେଶ୍ବରର ୪୦୦ଟି ସ୍ଥାନରେ ୨୦୦୦ ନୂଆ ସାଇକେଲକୁ ନେଇ ମୋ ସାଇକେଲ ଯୋଜନା ଆରମ୍ଭ ହୋଇଥିଲା । ରାଜଧାନୀ ଭୁବନେଶ୍ୱରରେ ଦୈନିକ ୩୨ହଜାର ଲୋକଙ୍କ ବସ ଯାତ୍ରାକୁ ଦୃଷ୍ଟିରେ ରଖି ଏବଂ ରାଜଧାନୀବାସୀଙ୍କ ସୁସ୍ଥ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନଜରରେ ରଖି ମୋ ସାଇକେଲ ଯୋଜନା ଆରମ୍ଭ ହୋଇଥିଲା । ଲୋକଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ପ୍ରଥମ ୩୦ ମିନିଟ୍‍ ଚଳାଇବା ମାଗଣା କରାଯାଇଥିଲା । ଯେତେବେଳେ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା ଲୋକେ ଆଉ ତିନି ତିନୋଟି ଆପ୍‍ରେ ପଇସା ରଖି ସାଇକେଲ ଚଳାଇବାକୁ ଆଗ୍ରହ ପ୍ରକାଶ କଲେନାହିଁ ।

ଏହି ସମସ୍ୟାକୁ ନଜରରେ ରଖି ପ୍ରାୟ ଦୁଇବର୍ଷ ପରେ କର୍ତ୍ତୃପକ୍ଷ ଗୋଟିଏ ଆପ୍‍ ଜରିଆରେ ସବୁ ସାଇକେଲ ଚାଳନା ସୁବିଧା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଏହି ମୋ ସାଇକେଲ ଆପ୍‍ରେ ରାଜଧାନୀର କେଉଁ ସ୍ଥାନରେ କେତୋଟି ସାଇକେଲ ଅଛି ତାହାର ସୂଚନା ଉପଲବ୍ଧ ହେଉନାହିଁ । ଏହି ଆପ୍‍ ଏତେ ଖରାପ ଯେ ସୋସିଆଲ ମିଡିଆରେ ଲୋକେ ଖୁବ୍ ସମାଲୋଚନା କରିଥିଲେ। 

ଗୋଟିଏ ପଟେ ଆପ୍‍ ସମସ୍ୟା ଅପରପକ୍ଷରେ ରାସ୍ତାକଡରେ ଅତ୍ୟନ୍ତ ଅପରିଷ୍କାର ଭାବେ ପଡି ରହିଥିବା ଏହି ସାଇକେଲଗୁଡିକୁ ଲୋକେ ନେବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ଆଉ କରୋନା ଆସିବା ପରେ ଏହାର ବ୍ୟବହାର ଏକ ପ୍ରକାର ବନ୍ଦ ହୋଇଗଲା। କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ନିଜର ପୁରୁଣା ସାଇକେଲ ନେଇ ଗଲେ ପଛେ ମୋ ସାଇକେଲ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ରାଜଧାନୀ କଲେଜ ସମ୍ମୁଖରେ ପଡିରହିଥିବା ଏକାଧିକ ଭଙ୍ଗା ସାଇକେଲ । 

ଏପଟେ ସାଇକେଲ ଗୁଡିକ କବାଡିଖାନାକୁ ଯିବା ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଆଉ ମାମଲା ଯାଇ ଥାନାରେ ପହଞ୍ଚିଛି। ସାଇକେଲ ଗାଏବ୍ ପରେ ଆପ୍‍ ଠିକ୍‍ କରାନଯିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ମୋ ସାଇକେଲ ଚଳାଇବାର ଗୋଟିଏ ରାସ୍ତା ହେଉଛି ‘ଆପ୍‍’ କୁ କାର୍ଯ୍ୟକାରୀ କରିବା। ଯଦି ଠିକଣା ସମୟରେ ଏହା କାର୍ଯ୍ୟକାରୀ କରା ନଯାଏ ତେବେ ଆଗାମୀ ଦିନରେ ବଳକା ସାଇକେଲ ବି କବାଡିଖାନା ଯିବା ନିଶ୍ଚିତ ବୋଲି ଲୋକେ କହୁଛନ୍ତି । 

Related Posts