ପତଞ୍ଜଳିର କରୋନିଲ୍ କୁ କେମିତି ମିଳିଲା ଅନୁମତି ? ସଂସଦରେ ଉତ୍ତର ରଖିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମହାମାରୀର ଉପସମ ପାଇଁ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଦ୍ବାରା ପ୍ରସ୍ତୁତ କରୋନିଲକୁ ନେଇ ଅତୀତରେ ବିବାଦ ଦେଖାଦେଇଥିଲା। ମହାମାରୀ ବିରୋଧୀ ଲଢେଇରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କମ୍ପାନୀ ଏବଂ ଯୋଗ ଗୁରୁ ନିଜେ ଦାବି କରିଥିଲେ । 

ପତଞ୍ଜଳୀର ଏହି ଦାବିକୁ ନେଇ ଆଇଏମ୍ଏ କଡା ବିରୋଧ କରିଥିଲା। କେଉଁ ଆଧାରରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଞ୍ଜୁରୀ ଦେଇଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଲୋକସଭାରେ ଏହାର ଉତ୍ତର ରଖିଛି ମନ୍ତ୍ରାଳୟ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଲୋକସଭାରେ କହିଛନ୍ତି ଯେ ପତଞ୍ଜଳିକୁ ଏଥିପାଇଁ କିପରି ଅନୁମତି ଦିଆଯାଇଥିଲା। 

 ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ ସମୀକ୍ଷା କମିଟିର ପରାମର୍ଶ ଅନୁଯାୟୀ ଉତ୍ତରାଖଣ୍ଡର ରାଜ୍ୟ ଲାଇସେନ୍ସ ପ୍ରାଧିକରଣ, ଦ୍ବାରା ଅନୁମତି ଦିଆଯାଇଥିଲା। କିନ୍ତୁ ଏହାକୁ ଚିକିତ୍ସା ପାଇଁ ନୁହେଁ ବରଂ COVID-19 ପରିଚାଳନାରେ ଏକ ସହାୟକ ପଦକ୍ଷେପ ଭାବରେ ବ୍ୟବହାର କରିବାକୁ କରୋନିଲ ଟାବଲେଟକୁ ଲାଇସେନ୍ସ ପ୍ରଦାନ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି। ” 

କେନ୍ଦ୍ର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଭାରତ ପ୍ରବୀଣ ପାୱାର ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଆନ୍ତଃ ବିଭାଗୀୟ ବୈଷୟିକ ସମୀକ୍ଷା କମିଟି (ITRC) ‘ ଦିବ୍ୟା କରୋନିଲ୍’ କୁ ‘ଇମ୍ୟୁନିଟି ବୁଷ୍ଟର୍’ରୁ  ‘ଡ୍ରଗ୍ ଅଫ୍ COVID-19’ ର ଆୟୁଷ୍ ଲାଇସେନ୍ସ ଅପଡେଟ କରିବା ପାଇଁ ହୋଇଥିବା ଆବେଦନର ସମୀକ୍ଷା କରୁଛି।   COVID ପରିଚାଳନାରେ ଟ୍ୟାବଲେଟକୁ ଏକ ସହାୟକ ପଦକ୍ଷେପ ଭାବରେ ବ୍ୟବହାର କରାଯାଇପାରିବ ବୋଲି କମିଟି ପରାମର୍ଶ ଦେଇଛି ।

 ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ , ‘ଇମ୍ୟୁନିଟି ବୁଷ୍ଟରରୁ ମେଡିସିନ୍ ପାଇଁ ଦିବ୍ୟ କରୋନିଲ୍ ଟାବଲେଟ୍ ପାଇଁ ଆୟୁଷ ଲାଇସେନ୍ସ ଅପଡେଟ୍’ ନାମକ ଏକ ଆବେଦନ ଉତ୍ତରାଖଣ୍ଡର ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ମନ୍ତ୍ରଣାଳୟକୁ ଦାଖଲ କରାଯାଇଛି। ଅକ୍ଟୋବର 27, 2020 ରେ ଅନୁସନ୍ଧାନ ପାଇଁ ITRC ସମ୍ମୁଖରେ ରଖାଯାଇଛି। “

ଗତବର୍ଷ ଜୁନ୍‌ ମାସରେ ପତଞ୍ଚଳି ଶୁଭାରମ୍ଭ କରିଥିବା ‘କରୋନିଲ୍‌’ ଏବଂ ‘ଶ୍ୱାସରି’ ଔଷଧ କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଆୟୁର୍ବେଦୀୟ ଉପଚାର ବୋଲି ପତଞ୍ଜଳି ଦାବି କରିଥିଲା। ସଂକ୍ରମିତ ଲୋକମାନଙ୍କ ଶରୀରରେ ଏହାର ପ୍ରୟୋଗ ସୁଫଳ ଦେଉଥିବା କଥା ହରିଦ୍ୱାରସ୍ଥିତ ପତଞ୍ଚଳି ଯୋଗପୀଠରେ ହୋଇଥିବା ନୈଦାନିକ ପରୀକ୍ଷାରୁ ଜଣାପଡ଼ିଛି ବୋଲି ଆଚାର୍ଯ୍ୟ ବାଳକୃଷ୍ଣ କହିଥିଲେ। 

ପତଞ୍ଜଳିର ସଂସ୍ଥାପକ ଯୋଗ ଗୁରୁ ରାମଦେବ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଉପସ୍ଥିତିରେ ‘କରୋନିଲ୍‌’ ସଂକ୍ରାନ୍ତ ବିଜ୍ଞାନଭିତ୍ତିକ ଗବେଷଣା ପତ୍ର ଉନ୍ମୋଚନ କରିଥିଲେ। ଯାହାକୁ ନେଇ ସେହି ସମୟରେ ବିବାଦ ସୃଷ୍ଟି ହୋଇଥିଲା। 

Related Posts