ମା’ଙ୍କ ଶେଷକୃତ୍ୟ ପରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୋଦି, କିଛି ସମୟ ବିଶ୍ରାମ ନେବାକୁ ପରାମର୍ଶ ଦେଲେ ମମତା

ଭୁବନେଶ୍ଵର,୩୦/୧୨(ସତ୍ୟପାଠ ବ୍ୟୁରୋ): ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା’ ହୀରାବେନଙ୍କ ପରଲୋକ ଘଟିଛି। ତେବେ ମା’ଙ୍କୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ମୋଦି । ମା’ଙ୍କ ଦେହାନ୍ତ ଖବର ପାଇବା ପରେ ମୋଦି ନୂଆଦିଲ୍ଲୀରୁ ବିମାନ ଯୋଗେ ଗୁଜରାଟ ଯିବା ସହ ସେଠାରେ ମା’ଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ତେବେ ମା’ଙ୍କୁ ମୁଖାଗ୍ନି ଦେବା ପରେ ସେ ତୁରନ୍ତ ନିଜର ଏହି ଅପୂରଣୀୟ କ୍ଷତିକୁ ଭୁଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ମା’ଙ୍କ ଶେଷକୃତ୍ୟ ପରେ ଆଜି ଭିଡିଓ କନଫରେନ୍ସିଂ ଦ୍ୱାରା ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୋଦି । ସେ ଏହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ମଧ୍ୟ ତାଙ୍କ ମୁହଁରୁ ମା’ଙ୍କୁ ହରାଇଥିବା ଦୁଃଖ ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି କ୍ଷଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ମମତା କହିଛନ୍ତି, “ଆପଣ କିଛି କ୍ଷଣ ବିଶ୍ରାମ ନିଅନ୍ତୁ। ଆପଣଙ୍କ ମା’ଙ୍କ ଦେହାନ୍ତରେ ମୁଁ କେମିତି ଶୋକ ଜଣାଇବି ଜାଣିପାରୁନି। ଆପଣଙ୍କ ମା’ ଆମମାନଙ୍କର ମଧ୍ୟ ମା’। ମୋର ବି ମୋ ମା’ଙ୍କ କଥା ମନେ ପଡ଼ୁଛି।” ଏହା ଶୁଣି ମୋଦି ଆହୁରି ଭାବବିହ୍ୱଳ ହୋଇଯାଇଥିଲେ। ତଥାପି ପୂର୍ବରୁ ଧାର୍ଯ୍ୟ ସୂଚୀ ଅନୁସାରେ ମୋଦି ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗଦେଇଛନ୍ତି।

ତେବେ ପ୍ରକୃତରେ ମୋଦି ଆଜି ପଶ୍ଚିମବଙ୍ଗ ଯାଇ ରେଳ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଥାଆନ୍ତେ। ହେଲେ ମା’ ହୀରାବେନଙ୍କ ମୃତ୍ୟୁ ଖବର ସକାଳୁ ମିଳିବାରୁ ସେ ପଶ୍ଚିମବଙ୍ଗ ଗସ୍ତ ନ କରି ସିଧା ଗୁଜରାଟର ଗାନ୍ଧିନଗରରେ ପହଞ୍ଚିଥିଲେ। ଏଠାରେ ସେ ମା’ଙ୍କ ଶେଷକୃତ୍ୟ ଶେଷ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମବଙ୍ଗର ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ସରକାରୀ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ଜୟ ଶ୍ରୀରାମ ନାରା ଦେବାରୁ ମମତା ବାନାର୍ଜୀ ଷ୍ଟେଜ ଉପରକୁ ଯାଇ ନଥିଲେ। ତାଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଝାସୁଝା କରିଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ। ଅଶ୍ୱିନୀ ବୈଷ୍ଣବ ଓ ସୁଭାଷ ସରକାର ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ବିଜେପି କର୍ମୀମାନଙ୍କୁ ନାରାବାଜୀ ନ କରିବାକୁ କହୁଥିବାର ଭିଡିଓ ସାମ୍ନାକୁ ଆସିଛି।

ତଥାପି ମମତା ଷ୍ଟେଜ ଉପରକୁ ନ ଯାଇ ଏହାର ସାଇଡ୍‌ରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ମା’ଙ୍କ ଦେହାନ୍ତ ପାଇଁ ଶୋକ ପ୍ରକାଶ କରିଥିବା ଦେଖା ଯାଇଥିଲା ।

Related Posts