ମୋକିମଙ୍କ ବିଧାୟକ ପଦ ରଦ୍ଦ ! ରାୟ କପି ପାଇବାପରେ ବିଧାନସଭା ପକ୍ଷରୁ ଆରମ୍ଭ ହେବ ରଦ୍ଦ ପ୍ରକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଦେବାପରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦ ଏକପ୍ରକାର ରଦ୍ଦ ହୋଇଯାଇଛି ବୋଲି ମତ ଉଠିଛି ।
୧୦ ଜୁଲାଇ ୨୦୧୩ ମସିହା ରେ ଲିଲି ଥୋମାସ ବନାମ ଭାରତ ସରକାର ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଐତିହାସିକ ରାୟ ଅନୁଯାୟୀ ରାଜ୍ୟ ଭିଜିଲାନ୍ସ ଅଦାଲତ ଙ୍କ ୩ ବର୍ଷ ଜେଲ ଦଣ୍ଡ ପରେ ମୋକିମ୍ ରାଜ୍ୟ ବିଧାନସଭାର ବିଧାୟକ ପଦ ହରାଇସାରିଛନ୍ତି।

କଣ କହୁଛି ସୁପ୍ରିମକୋର୍ଟଙ୍କ ରାୟ

ସୁପ୍ରିମକୋର୍ଟ ୧୦ ଜୁଲାଇ ୨୦୧୩ରେ ଲିଲି ଥୋମାସ୍ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ (ଲୋକ ପ୍ରହରୀ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ) ମାମଲାର ବିଚାର କରି ଯେଉଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ, ସେଥିରେ କହିଥିଲେ ଯେ, କୌଣସି ସାଂସଦ, ବିଧାୟକ କିମ୍ବା ବିଧାନ ପରିଷଦର ସଦସ୍ୟ ଯଦି କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ସର୍ବନିମ୍ନ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୁଅନ୍ତି, ତେବେ ସଂପୃକ୍ତ ଜନପ୍ରତିନିଧି ରାୟ ପ୍ରକାଶ ପାଇବାକ୍ଷଣି ତୁରନ୍ତ ଗୃହର ସଦସ୍ୟତା ହରାଇବେ।

ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ସଦସ୍ୟମାନେ ସେ ପର୍ଯ୍ୟନ୍ତ ନିଜ ପଦରେ ରହୁଥିଲେ ଯେପର୍ଯ୍ୟନ୍ତ ନିମ୍ନ ଅଦାଲତ ଠାରୁ ଆରମ୍ଭ କରି ହାଇକୋର୍ଟ ତଥା ସର୍ବୋଚ୍ଚ ନ୍ୟାୟାଳୟରେ ସମସ୍ତ ନ୍ୟାୟିକ ପ୍ରକ୍ରିୟା ରେ ଦୋଷୀ ସାବ୍ୟସ୍ତ ହେଉନଥିଲେ । ଆହୁରି ମଧ୍ୟ, ପୂର୍ବରୁ ଜନ ପ୍ରତିନିଧି ଆଇନର ଧାରା ୮ (୪) ଅନୁଯାୟୀ ବିଧାୟକ, ସାଂସଦଙ୍କ ସଦସ୍ୟତା ରଦ୍ଦ କ୍ଷେତ୍ରରେ ସୁରକ୍ଷା ମିଳୁଥିଲା। ଯଦି ଦଣ୍ଡିତ ହୋଇଥିବା କୌଣସି ଲୋକ ପ୍ରତିନିଧି ରାୟର ୩ ମାସ ଭିତରେ ଉପର କୋର୍ଟରେ ଆବେଦନ କରନ୍ତି ଏବଂ ତାଙ୍କ ଆବେଦନ ବିଚାର ପାଇଁ ଗୃହୀତ ହୁଏ। କିନ୍ତୁ ଏହାକୁ ପରବର୍ତ୍ତୀ ସମୟରେ ସୁପ୍ରୀମକୋର୍ଟ ରେ ଜଷ୍ଟିସ୍ ଏ କେ ପଟ୍ଟନାୟକ ଏବଂ ଜଷ୍ଟିସ୍ ଏସ୍ ଜେ ମୁଖୋପାଧ୍ୟାୟଙ୍କ ବେଞ୍ଚ ଦ୍ୱାରା ଅସାମ୍ବିଧାନିକ ଘୋଷିତ ହୋଇଥିଲା।

ଅର୍ଥାତ ଗୁରୁବାର ଦିନ ଭିଜିଲାନ୍ସ କୋର୍ଟର ରାୟ ପରେ ମୋକିମ ଏକପ୍ରକାର ବିଧାୟକ ପଦ ହରେଇସାରିଛନ୍ତି।
ମାତ୍ର ବିଧାୟକ ପଦ ରଦ୍ଦ ହୋଇନାହିଁ ବୋଲି ଯେଉଁ ଦ୍ଵନ୍ଦ ଉଠୁଛି ତାହାହେଲେ ସଂପୃକ୍ତ ଅଦାଲତ ସମାନ ମାମଲାରେ ମୋକିମଙ୍କୁ ଜାମିନ ମଧ୍ୟ ଦେଇଛନ୍ତି। ଯେହେତୁ ଜେଲ ଦଣ୍ଡାଦେଶ ଉପରେ ମୋକୀମ ଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି ତେଣୁ ତାଙ୍କର ବିଧାୟକ ପଦ ରଦ୍ଦ ହେବ କି ନାହିଁ ସେ ନେଇ ଅନେକ ଆଇନଜୀବୀ ପ୍ରଶ୍ନ ଉଠେଇଛନ୍ତି।
ଅନ୍ୟପଟେ ଯୁକ୍ତି ହେଉଛି କି ଦୋଷୀ ସାବ୍ୟସ୍ତ ହେବାପରେ ଜାମିନ ଆଧାର ରେ ମୋକିମ ବିଧାୟକ ପଦକୁ ସୁରକ୍ଷା ଦେଇପାରିବେ ନାହିଁ।

ଏନେଇ ଶ୍ରୀ ମୋକିମ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦଣ୍ଡିତ କରିବା ପରେ ଜାମିନ୍ ପ୍ରଦାନ କରିଛନ୍ତି। ସେ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ। ତାଙ୍କର ସଦସ୍ୟତା ସୁରକ୍ଷିତ ରହିବ କି ନାହିଁ ତାହା ଅଦାଲତରେ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

୨୦୧୩ ରେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଜନ ପ୍ରତିନିଧି ଆଇନ-୧୯୫୧ର ଧାରା ୮ର ଉପଧାରା ୧, ୨, ୩, ୪ର ତର୍ଜମା କରି ତାହାକୁ ଅଲଟ୍ରାଭାଇରସ୍ ଭାବେ ଉଲ୍ଲେଖ କରିଥିଲେ। ଅର୍ଥାତ୍‌ ଧାରା ୮ର ଉପଧାରା ୪ରେ ପୂର୍ବରୁ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବାପରେ ବିଧାୟକ ଓ ସାଂସଦଙ୍କୁ ଯେଉଁ ସୁରକ୍ଷା ମିଳୁଥିଲା, ତାହା ମିଳିପାରିବ ନାହିଁ ବୋଲି ସେହି ରାୟରୁ ସ୍ପଷ୍ଟ ହୋଇଥିଲା। ରାୟ ଅନୁଯାୟୀ ଯଦି ବିଧାୟକ, ସାଂସଦ ଅଥବା ବିଧାନ ପରିଷଦ ସଦସ୍ୟ କୌଣସି ମାମଲାରେ ୨ ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ ହୁଅନ୍ତି, ତେବେ ରାୟ ପ୍ରକାଶ ପାଇବା ସମୟରୁ ହିଁ ସେ ତାଙ୍କ ସଦସ୍ୟ ପଦ ହରାଇବେ। ଯେହେତୁ ମୋକିମଙ୍କୁ ୨ ବର୍ଷରୁ ଅଧିକ ଅର୍ଥାତ ୩ ବର୍ଷ ଜେଲ୍ ଦଣ୍ଡ ହୋଇଛି ତେଣୁ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଯାଇଥିବା କୁହାଯାଉଛି।

ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଏହି ରାୟ ପରେ ଭାରତରେ ପ୍ରଥମ ଜନପ୍ରତିନିଧି ଭାବରେ ସାହରାନପୁର କଂଗ୍ରେସ ସାଂସଦ ରସିଦ ମାସୁଦ ଙ୍କୁ ପାର୍ଲିଆମେଣ୍ଟ ରୁ ବିଦାହୋଇଥିଲେ।

ରସିଦ ମାସୁଦ୍ ମାମଲା କଣ?

୨୦୧୩ ସେପ୍ଟେମ୍ବର ୧୯ ରେ, ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ରସିଦ ମାସୁଦଙ୍କୁ ଦୁର୍ନୀତି ଏବଂ ଅନ୍ୟାନ୍ୟ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେ କେନ୍ଦ୍ରୀୟ ପୁଲରୁ ଦେଶର ମେଡିକାଲ କଲେଜଗୁଡ଼ିକରେ ତ୍ରିପୁରାକୁ ଦିଆଯାଇଥିବା ଏମବିବିଏସ ସିଟ ଗୁଡିକ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଦେଇଥିଲେ ଓ ଏହି ଠକାମିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୨୦୧୩ ଅକ୍ଟୋବର ୧ ରେ, ରଶିଦଙ୍କୁ ଏହି ମାମଲାରେ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦୋଷୀ ସାବ୍ୟସ୍ତ ହେତୁ ତାଙ୍କୁ ଭାରତର ସଂସଦରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହାସହିତ ଭାରତର ଗଣତନ୍ତ୍ର ଇତିହାସରେ ସେ ପ୍ରଥମ ନିର୍ବାଚିତ ସଦସ୍ୟ ଭାବେ ଏଭଳି ମାମଲାରେ ନିଜ ପଦ ହରାଇଥିଲେ। ଏହି ସମୟରେ ସେ ରାଜ୍ୟସଭାରେ କଂଗ୍ରେସ ଦଳର ସାଂସଦ ଭାବେ ପ୍ରତିନିଧିତ୍ୱ କରୁଥିଲେ।

ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟ ବିଧାନସଭା ଭିଜିଲାନ୍ସ କୋର୍ଟ ରାୟ ର କପି ପାଇବାପରେ ମୋକିମଙ୍କ ବିଧାୟକ ପଦ ରଦ୍ଦ ପ୍ରକ୍ରିୟା ଆରମ୍ଭ କରିବେ।

ସୂଚନାଯୋଗ୍ୟ ଯେ, ୨୦୧୯ ବିଧାନସଭା ନିର୍ବାଚନରେ ମହମ୍ମଦ ମୋକିମ୍ କଂଗ୍ରେସ ଟିକେଟରେ ଲଢି ବାରବାଟୀ-କଟକ ବିଧାନସଭା ଆସନରୁ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Related Posts