(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ରରେ ଏବେ ନକଲି କରୋନା ଟିକା ଦିଆଯିବ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ବମ୍ବେ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ତଦନ୍ତ ନିର୍ଦେଶ ଦେଇଛନ୍ତି। ମୁମ୍ବାଇରେ ନଅଟି ଭିନ୍ନଭିନ୍ନ ଘରୋଇ ଟୀକାକରଣ କେନ୍ଦ୍ରରେ 2,000 ରୁ ଅଧିକ ଲୋକଙ୍କୁ ନକଲି କୋଭିଡ -19 ଟିକା ଦିଆଯାଇଛି। ଏ ସମ୍ପର୍କରେ ଗୁରୁବାର ଦିନ ପୋଲିସ ବମ୍ବେ ହାଇକୋର୍ଟଙ୍କୁ ସୂଚନା ଦେଇଛି। ପୋଲିସ ଦେଇଥିବା ସୂଚନା ମୁତାବକ ଏପର୍ଯ୍ୟନ୍ତ ପ୍ରାୟ 400 ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଏହି ଘଟଣାରେ ଚାରିଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ନକଲି ଟିକାକୁ ବମ୍ବେ ହାଇକୋର୍ଟ ଉଦବେଗ ପ୍ରକାଶ କରି ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଏବଂ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଆଫିଡେଭିଟ୍ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପଙ୍କର୍ ଦତ୍ତା ଏବଂ ଜଷ୍ଟିସ୍ ଗିରିଶ ଏସ୍ କୁଲକର୍ଣ୍ଣିଙ୍କ ଏକ ଡିଭିଜନ୍ ବେଞ୍ଚ ସିଦ୍ଧାର୍ଥ ଚନ୍ଦ୍ରଶେଖରଙ୍କ କୋୱିନ୍ ପୋର୍ଟାଲରେ ଟୀକାକରଣ ସ୍ଲଟ୍ ବୁକିଂରେ ଦେଖାଦେଉଥିବା ସମସ୍ୟାକୁ ନେଇ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ସ୍ଲଟ୍ ବୁକିଂରେ ଆବେଦନକାରୀ ବୟସ୍କ ଲୋକଙ୍କୁ ପ୍ରାଥମିକତା ଦେବାକୁ ଆବେଦନ କରିଥିଲେ। ଏହି ଅବସରରେ ଆଡଭୋକେଟ୍ ଅନୀତା ଶେଖର-କାଷ୍ଟେଲିନୋ ସହରରେ ନକଲି କୋଭିଡ -19 ଟୀକାକରଣ ଡ୍ରାଇଭ ଘଟଣା ସମ୍ପର୍କରେ ପ୍ରକାଶ ପାଉଥିବା ରିପୋର୍ଟ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ମଙ୍ଗଳବାର ଦିନ ହାଇକୋର୍ଟ ରାଜ୍ୟ ସରକାର ଓ ବିଏମସିକୁ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ। ଗୁରୁବାର ମୁମ୍ବାଇ ପୋଲିସର ପ୍ରତିନିଧିତ୍ୱ କରୁଥିବା ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ଦୀପକ ଠାକରେ ତଦନ୍ତ ରିପୋର୍ଟ ଦାଖଲ କରି କହିଛନ୍ତି ଯେ ଏହି ମାମଲାରେ ମୁମ୍ବାଇରେ ଚାରିଟି ଏଫଆଇଆର ପଞ୍ଜିକୃତ ହୋଇଛି ଏବଂ ଯାଞ୍ଚ ପ୍ରକ୍ରିୟା ଚାଲିଛି। ବ୍ୟକ୍ତିଗତ ଟୀକାକରଣ ଶିବିର ଆୟୋଜନ କରିବା ପୂର୍ବରୁ ପୋଲିସକୁ ସୂଚନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ପୋଲିସ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଠାକୁର ଆହୁରି ସୂଚନା ଦେଇଛନ୍ତି ଯେ 2,053 ଜଣଙ୍କୁ ନକଲି କୋଭିଡ୍ ଟିକା ଦିଆଯାଇଛି, ସେଥିମଧ୍ୟରେ କାଣ୍ଡିଭାଲୀ (ଡବ୍ଲୁ) ରେ ହିରାନନ୍ଦାନି ହେଲଥ କେୟାର ସେଣ୍ଟରରେ 390, ପାରେଲର ପୋଡାର ଏଜୁକେସନ ସୋସାଇଟିରେ 207, ବୋରିଭାଲିରେ 514, ମାଲାଡ ୱେଷ୍ଟରେ 30 ଏବଂ କର୍ମଚାରୀଙ୍କ ପାଇଁ ସଂଗଠିତ ଡ୍ରାଇଭରେ ପ୍ରାୟ 365 ଜଣଙ୍କୁ ଟିକା ଦିଆଯାଇଛି। ବିଏମସିର ବରିଷ୍ଠ ପରାମର୍ଶଦାତା ଅନିଲ ସାଖାରେ କହିଛନ୍ତି ଯେ ନକଲି ଟୀକାକରଣ ବିଷୟରେ ଜାଣିବା ପରେ ବିଏମସି ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଛି । ବିଏମସିର ପରାମର୍ଶଦାତା ଏହା ମଧ୍ୟ କହିଛନ୍ତି ଯେ କୋଭିଶିଲ୍ଡ ଉତ୍ପାଦନ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କୁ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି। ଏହା ପରେ କୋର୍ଟ ରାଜ୍ୟ ସରକାର ଏବଂ ବିଏମସିକୁ ପଚାରିଛନ୍ତି ଯେ ନକଲି ଟୀକାକରଣ ରୋକିବା ପାଇଁ କୌଣସି ନୀତି ପ୍ରସ୍ତୁତ କରିଛନ୍ତି କି ନାହିଁ । ନକଲି ଟୀକାକରଣ ଉପରେ ଆମେ ଏକ ନିର୍ଦ୍ଦିଷ୍ଟ ନୀତି ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ କୋର୍ଟ କହିଛନ୍ତି ଯେ ଏଥିରେ ବିଳମ୍ବ କରିବା ଅନୁଚିତ କାରଣ ପ୍ରତିଟି ମିନିଟ୍ ଗୁରୁତ୍ବପୂର୍ଣ୍ଣ। ଜୁନ୍ 29 ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
