ଓଡିଶା ପୁଲିସ୍‌ରେ ୭ ହଜାରରୁ ଅଧିକ ପଦ ଖାଲି, ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ଓଡିଶା ପୁଲିସରେ ଏବେ କନଷ୍ଟେବଳ ଠାରୁ ଆରମ୍ଭ କରି ଅତିରିକ୍ତ ଏସପି ପର୍ଯ୍ୟନ୍ତ ମୋଟ ୭ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ଏଭଳି କଥା ସ୍ପଷ୍ଟ ହୋଇଛି। ପ୍ରକୃତ ସଂଖ୍ୟା ଦେଖିବାକୁ ଗଲେ ରାଜ୍ୟରେ ମଞ୍ଜୁରିପ୍ରାପ୍ତ କନଷ୍ଟେବଳ ପଦ ମୋଟ ୨୪ ହଜାର ୧୧୨ ରହିଥିବା ବେଳେ ୨୦୨୨ ଶେଷ ସୁଦ୍ଧା ଏହି ପାଦରେ ୧୯ ହଜାର ୩୨୨ ଜଣ କାର୍ଯ୍ୟରତ ଅଛନ୍ତି। ଖାଲି ପଡ଼ିଥିବା ବାକି ୪୭୯୦ କନଷ୍ଟେବଳ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩ ଏପ୍ରିଲ ସୁଦ୍ଧା ଏହି ପଦ ଗୁଡିକରେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସେହିଭଳି ଭାବେ ରାଜ୍ୟରେ ମଞ୍ଜୁରିପ୍ରାପ୍ତ ସିପାହୀ ଓ ବାଟାଲିଅନ କନେଷ୍ଟବଳ ପଦ ମୋଟ ୧୪ ହଜାର ୯୧୧ ହୋଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା ୫୪୬ଟି ପଦବି ଖାଲି ପଡ଼ିଛି। ରାଜ୍ୟ ପୁଲିସରେ ୩୭୪୧ ହାବିଲଦାର ପଦ ରହିଥିବା ବେଳେ ୨୦୨୨ ଶେଷ ସୁଦ୍ଧା ୩୬ଟି ପଦ ଖାଲି ପଡିଛି। ସେହିଭଳି ମଞ୍ଜୁରିପ୍ରାପ୍ତ ପୁଲିସ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦ ୩୮୯୪ ହୋଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା କୌଣସି ପଦ ଖାଲି ନାହିଁ। ଏଏସଆଇ ପଦକୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯାଉଛି। ଅନ୍ୟପଟେ ମଞ୍ଜୁରିପ୍ରାପ୍ତ ଏସଆଇ ପଦ ୩୬୯୪ ହୋଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା ଏଥିରୁ ୧୪୧୫ ପଦ ଖାଲି ପଡ଼ିଛି। ରାଜ୍ୟରେ ୯୦୬ ସବ୍-ଇନ୍ସପେକ୍ଟର (ଆର୍ମଡ୍) ମଞ୍ଜୁରିପ୍ରାପ୍ତ ପଦ ହୋଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା ଏଥି ମଧ୍ୟରୁ ୨୮୪ ପଦ ଖାଲି ପଡ଼ଛି।

ସେହିଭଳି ମଞ୍ଜୁରୀପ୍ରାପ୍ତ ୧୦୯୫ ଇନ୍ସପେକ୍ଟର ପଦ ମଧ୍ୟରୁ ୨୦୨୨ ଶେଷ ସୁଦ୍ଧା ୧୩୪ ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ୨୭୧ ଇନ୍ସପେକ୍ଟର (ଆର୍ମଡ୍) ପଦ ମଧ୍ୟରୁ ୨୦୨୨ ଶେଷ ସୁଦ୍ଧା ୧୯ଟି ପଦ ଖାଲି ପଡ଼ିଛି। ରାଜ୍ୟରେ ୫୫୯ଟି ଡେପୁଟି ସୁପରିନଟେଣ୍ଡେଣ୍ଟ ଅଫ ପୁଲିସ (ଡିଏସ୍‌ପି) ପଦ ରହିଥିବା ବେଳେ ଗତ ବର୍ଷ ଶେଷ ସୁଦ୍ଧା ୫୭ଟି ପଦ ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ଅତିରିକ୍ତ ଏସପି ପଦ ୧୩୯ ହୋଇଥିବା ବେଳେ ଏବେ ୧୦୧ ଜଣ ଅଛନ୍ତି ଓ ୩୮ ପଦ ଖାଲି ପଡ଼ିଛି। ଡିଏସପି ଗ୍ରେଡେସନ୍ ତାଲିକା ପ୍ରସଂଗରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଯୋଗୁଁ ୨୦୨୩ ଜାନୁଆରି ୫ ପର୍ଯ୍ୟନ୍ତ ଏହି ପଦ ପୂରଣ କରାଯାଇ ପାରି ନଥିଲା। ଏହି ଅନ୍ତରୀଣ ରହିତାଦେଶ ଉଠି ଯାଇଛି ବୋଲି ବୁଧବାର ସରକାରଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଥିଲା।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ କନଷ୍ଟେବଳ ପଦ ପୂରଣ ସଂକ୍ରାନ୍ତୀୟ ସମୟସୀମା ନେଇ ସତ୍ୟପାଠରେ ତଥ୍ୟ ରହିଛି। କିନ୍ତୁ ଏସଆଇ, ଇନ୍ସପେକ୍ଟର, ଡିଏସପି, ଅତିରିକ୍ତ ଏସପି ପଦ ଖାଲି ପଡ଼ିଥିଲେ ମଧ୍ୟ କେବେ ଏହି ସବୁ ପଦ ପୂରଣ ହେବ ସେ ନେଇ ସତ୍ୟପାଠରେ କୌଣସି ସମୟସୀମା ସ୍ପଷ୍ଟ କରାଯାଇ ନାହିଁ। ଏହି ସବୁ ପଦ ପୂରଣ ସଂପର୍କିତ ସମୟସୀମା ସଂକ୍ରାନ୍ତରେ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେ ୧ ସୁଦ୍ଧା ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବେ ଓ ଜୁନ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରେଜିଷ୍ଟ୍ରାର ଜୁଡିସିଆଲଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ୨୦୧୯, ମାର୍ଚ୍ଚ ୧୧ର ନିର୍ଦ୍ଦେଶ ଅନୁସାରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲେ।

Related Posts