‘ମୋ ମା’ଙ୍କ ମୃତ୍ୟୁ ହେବାର ଅଛି, ସେଥିପାଇଁ ଛୁଟି ଦରକାର’: ବିହାର ଶିକ୍ଷକଙ୍କ ଅଜବ ଦରଖାସ୍ତ, ଅଡୁଆରେ ଶିକ୍ଷା ବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରର ଏବେ ଶିକ୍ଷକମାନେ ଅଜବ ଢ଼ଙ୍ଗରେ ଦରଖାସ୍ତ ଲେଖି ଆକସ୍ମିକ ଛୁଟି ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ଏହି ଛୁଟି ଆବେଦନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିକ୍ଷକ ଅଜୟ କୁମାର ଡିସେମ୍ବର ୫ ସୋମବାର ୮ଟାରେ ମୋ ମା’ଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି, ସେଥିପାଇଁ ମୁଁ ତାଙ୍କର ଶେଷ ରୀତିନୀତି ପାଇଁ ଡିସେମ୍ବର ୬ରୁ ୭ ପର୍ଯ୍ୟନ୍ତ ସ୍କୁଲରେ ଅନୁପସ୍ଥିତ ରହିବି।

ଅନ୍ୟପକ୍ଷେ ଅନ୍ୟ ଏକ ଆବେଦନରେ ଶିକ୍ଷକ ରାଜ ଗୌରବ ଲେଖିଛନ୍ତି ଯେ, ସେ ଡିସେମ୍ବର ୪ରୁ ୫ ପର୍ଯ୍ୟନ୍ତ ଅସୁସ୍ଥ ହେବାର ସମ୍ଭାବନା ରହିଛି। ତେଣୁ ସ୍କୁଲକୁ ଆସିପାରିବି ନାହିଁ। ଏହିପରି ଏକ ଆବେଦନରେ ଶିକ୍ଷକ ନୀରଜ କୁମାର ଲେଖିଛନ୍ତି, ପେଟ ବ୍ୟଥା ସମ୍ଭାବନା ଥିବାରୁ ସେ ଡିସେମ୍ବର ୭ରୁ ୯ ପର୍ଯ୍ୟନ୍ତ ସ୍କୁଲ କାମ କରିବାରେ ଅସମର୍ଥ ହେବେ। ଏଭଳି କହି ପ୍ରଧାନଶିକ୍ଷକଙ୍କଠାରୁ ଛୁଟି ମାଗୁଛନ୍ତି ଶିକ୍ଷକ। ଏହି ସମସ୍ତ ଛୁଟି ଆବେଦନଗୁଡିକୁ ଏଥିପାଇଁ ଲେଖାଯାଇଛି, କାରଣ ଜିଲା ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ଆକସ୍କିକ ଛୁଟି ପାଇଁ ୩ଦିନ ପୂର୍ବରୁ ଆବେଦନ ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ, ମୁଙ୍ଗେର, ଭାଗଲପୁର ଏବଂ ବାଙ୍କା ଜିଲାରେ ଶିକ୍ଷକମାନଙ୍କ ଆକସ୍ମିକ ଛୁଟି ଦାବି ସମ୍ପର୍କରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଶିକ୍ଷକମାନଙ୍କୁ ୩ଦିନ ପୂର୍ବରୁ ଆକସ୍ମିକ ଛୁଟି ପାଇଁ ଆବେଦନ କରିବାକୁ ପଡିବ। ଯଦି ସେମାନେ ତାହା ନ କରନ୍ତି, ତେବେ ତାଙ୍କର ଛୁଟି ଗ୍ରହଣ କରାଯିବ ନାହିଁ। ଏହି ଆଦେଶରେ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିକ୍ଷକ ସଂଘ ସହ ଜଡିତ ଶିକ୍ଷକ ନେତା କହିଛନ୍ତି, ହଠାତ୍‌ ପରିସ୍ଥିତି ଯୋଗୁ ଛୁଟି ନିଆଯାଏ। ତେବେ ୩ଦିନ ପୂର୍ବରୁ ଆସୁଥିବା ଅସୁବିଧାକୁ କେହି କିପରି ପୂର୍ବାନୁମାନ କରିପାରିବ। ତେଣୁ ଏହି ଆଦେଶ ପ୍ରତ୍ୟାହାର କରିନେବାକୁ ଶିକ୍ଷକମାନେ ସରକାରଙ୍କୁ ଦାବି କରିଛନ୍ତି।

Related Posts