ପୁଅ ଏବେ ରେଡି…

ଦୀର୍ଘଦିନ ଧରି ଜଟଣୀ ରାଜନୀତିରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଉତ୍ତରାଧିକାରୀକୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ଏକପ୍ରକାରର ଅନ୍ତ ଘଟିଛି। କଂଗ୍ରେସ ଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ସୁର ରାଉତରାୟ ତାଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ସାଙ୍ଗରେ ବସାଇ ରାଜନୀତି ପାଇଁ ଏବେ ତାଙ୍କ ପୁଅ ରେଡି ବୋଲି ଘୋଷଣା କରିଥ୍‌ଲେ। ଆରମ୍ଭରୁ ସୁରବାବୁ ତାଙ୍କ ଚିରାଚରିତ ଢଙ୍ଗରେ ମାଡିଚାଲ, ଏବେ ମୋ ପୁଅ ରେଡି କହିବା ସହ ବାପ୍ ସେ ବେଟା ଜ୍ୟାଦା ବୋଲି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସମ୍ବୋଧ୍‌ତ କରିଥିଲେ। ମୋ ପୁଅ ଭବିଷ୍ୟତରେ ମୋଠାରୁ ଖୁବ୍ ଭଲ କାମ କରିବ ବୋଲି ମଧ୍ୟ ସୁର କହିଥିଲେ ।

ପାଇଲଟରୁ ପଲିଟିକ୍ସ ଆଡକୁ ମୁହାଁଇଥିବା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ନେଇ ଜଟଣୀ ତଥା କଂଗ୍ରେସ୍ ରାଜନୀତିରେ ଅାଜିର ଘଟଣା ପରେ ଆଉ ଏକ ବଂଶବାଦର ସୁରାକ୍ ମିଳିଛି। ସୁର ରାଉତରାୟ କେବେ ତାଙ୍କ ଉତ୍ତରାଧିକାରୀ ସ୍ଥିର କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଥ୍‌ଲା ସେଥ୍‌ରେ ଏକ ପ୍ରକାରର ଜବନିକା ପଡିଛି। ତେବେ ମୋର ଏହା ଶେଷ ନିର୍ବାଚନ ଆସନ୍ତା ଦିନରେ ପୁଅ ରାଜନୀତି କରିବକି ନାହିଁ ତାହା ତା ଉପରେ ନିର୍ଭର କରେବୋଲି  ସେ କହିଥ୍‌ଲେ। ଯଦି ସେ ନିର୍ବାଚନରେ ଠିଆ ହୁଏ ତାହେଲେ ମୁଁ କହିବି ରେଡୀ ଆଉ ମାଡିଚାଲ ବୋଲି ସୁର କହିଥିଲେ।

ପୁଅ ମନ୍ମଥ ସମ୍ପର୍କରେ କହିବାକୁ ଯାଇ ସୁରବାବୁ କହିଲେ କରୋନା ସମୟରେ ସରକାର ଯାହା କରି ନ ଥିବେ ମୋ ପୁଅ ତାହା କରି ଦେଖାଇଛି।କରୋନା ମହାମାରୀରେ ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ପଚାଶରୁ ଷାଠିଏ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ,ପଚାଶ ହଜାର ମାସ୍କ ବାଣ୍ଟିଛି, ଦୁଇ ହଜାର ଟଙ୍କିଆ ପୁଡିଆ ଜଟଣୀ ଠାରୁ ଆରମ୍ଭ କରି ଭୁବନେଶ୍ଵର ପର୍ଯ୍ୟନ୍ତ ବାଣ୍ଟିଛି । ଏହାପରେ ସାମ୍ୱାଦି ଙ୍କ ପ୍ରଶ୍ନର ଉତ୍ତରରେ ସୁରଙ୍କ ପୁଅ ମନ୍ମଥ ବାପାଙ୍କୁ ସହଯୋଗ କରିବାକୁ ଆସିଥିବା କଥା କହିବା ସହ ସେ ଏବେ ରାଜନୀତିରେ ନାବାଳକ ବୋଲି ସ୍ବିକାର କରିଥ୍‌ଲେ। ୨୦୨୪ ରେ ରାଜନୀତିକୁ ଆସିବେକି ବୋଲି ପ୍ରଶ୍ନର ଉତ୍ତରରେ ସେ ପରୋକ୍ଷରେ ଆସିବା କଥା ଇଶାରା ଦେଇଥିଲେ। ଜଣେ ପାଇଲଟ୍ ହିସାବରେ ଦେଶ ପାଇଁ ଯେଉଁ ଯୋଗଦାନ ଦେଇଛନ୍ତି ସେହି କ୍ରମରେ ଯଦି ସୁଯୋଗ ମିଳେ ତେବେ କରିବାକୁ ସେ ପ୍ରସ୍ତୁତ ଥିବା କଥା କହିଥିଲେ।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଠ ପାଇଲଟ୍ ରାଜୀବ ଗାନ୍ଧୀ କିପରି ପାଇଲଟରୁ ରାଜନୀତିକୁ ଆସିଥିଲେ ସେକଥା ଉଦାହରଣ ଦେବାସହ ନିଜକୁ ସେହି ରାସ୍ତାରେ ନେବାପାଇଁ ସେ ପ୍ରସ୍ତୁତ ଥିବା କଥା ସୂଚନା ଦେଇଥ୍‌ଲେ। ମୁଁ ଏବେ ସାମାଜିକ କାମ କରୁଛି, ବାପାଙ୍କ ଠାରୁ ରାଜନୀତି ଶିଖୁଛି। ବର୍ତ୍ତମାନର ରାଜନୀତି ବିକାଶ ଅପେକ୍ଷା ଧାର୍ମିକ ଭାବନା ସହ ବେଶି ଜଡିତ ବୋଲି କ୍ଷୋଭର ସହ କହିଥିଲେ। ସୁରଙ୍କ ପରେ ପୁତ୍ର ମନ୍ମଥଙ୍କ ଜଟଣୀ ରାଜନୀତିରେ ଗୃହପ୍ରବେଶ କେତେଦୁର ସହଜ ହେବ ତାହାତ ସମୟ କହିବ ହେଲେ ପ୍ରଦେଶ କଂଗ୍ରେସ ଏହାକୁ କେଉଁ ଦୃଷ୍ଟିରେ ଦେଖୁଛି ତାହା ଦେଖିବା ପାଇଁ ଏବେ ସମସ୍ତଙ୍କ ଅପେକ୍ଷା।

Related Posts