ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ବିଭିନ୍ନ ମେଡିକାଲ୍ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଭାରତ ଫେରି ଆସିଥିଲେ। ସେଠାରୁ ଫେରିବା ପରେ ଏମ୍‌ବିବିଏସ୍‌ ବା ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଆଜି ସଙ୍କଟ ମଧ୍ୟରେ ରହିଛି। ୟୁକ୍ରେନ୍‌ ଫେରନ୍ତା ଓଡ଼ିଶାର ଛାତ୍ରଛାତ୍ରୀମାନେ ଏସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୪୭୦ ଜଣ ମେଡିକାଲ ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ପାଠ ପଢୁଛନ୍ତି। ଏମାନଙ୍କର ଏକ ପ୍ରତିନିଧି ଦଳ ଇତି ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ତାଙ୍କର ଅସୁବିଧା ସମ୍ପର୍କରେ ଜଣାଇବା ସହ ସେମାନେ କିଭଳି ନିଜର ପାଠ୍ୟକ୍ରମ ଜାରି ରଖିପାରିବେ ସେ ସଂପର୍କରେ ସହାୟତା ଆଶା କରିଛନ୍ତି।

ଏ ସଂପର୍କରେ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟାଙ୍କୁ ପତ୍ର ଲେଖି ତାଙ୍କର ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ୟୁକ୍ରେନ୍‌ ଯୁଦ୍ଧର ଭୟାବହତା ସମୟରେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ ପଢୁଥିବା ଡାକ୍ତରୀ ଛାତ୍ରମାନଙ୍କୁ ନିରାପଦ ଭାବରେ ଉଦ୍ଧାର କରି ଦେଶକୁ ଆଣିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦ‌କ୍ଷେପ। ଏହି ଚିଠିରେ ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କର ସ୍ଥିତିକୁ ହୃଦୟଙ୍ଗମ କରି ମାନବିକତାର ସହ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଦିଅନ୍ତୁ। ଏହା ସହ ଏହାର ସମାଧାନ ବାଟ ବାହାର କରନ୍ତୁ। ଫଳରେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।

Related Posts