ଆରମ୍ଭ ହେଲା ଶ୍ରୀଲଙ୍କା ପାର୍ଲମେଣ୍ଟର ସ୍ୱତନ୍ତ୍ର ଅଧିବେଶନ, ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଦେଶ ପଳାୟନ କରିଥିବା ଗୋଟାବାୟା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେଇସାରିଥିବାବେଳେ ଶ୍ରୀଲଙ୍କାରେ ବର୍ତ୍ତମାନ ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶନିବାର ପାର୍ଲମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ପ୍ରାରମ୍ଭରେ ପାର୍ଲାମେଣ୍ଟ ସେକ୍ରେଟାରୀ ଜେନେରାଲ ବିଦାୟୀ ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫାପତ୍ର ପଢି ସଂସଦ କୁ ଶୁଣାଇଥିଲେ ।

ସୂଚନାଯୋଗ୍ୟ ସିଙ୍ଗାପୁରରେ ଅବସ୍ଥାନ କରୁଥିବା ଗୋଟାବାୟା ଗତ ଗୁରୁୁବାର ତାଙ୍କର ଇସ୍ତଫାପତ୍ର ଇ-ମେଲ ଜରିଆରେ ବାଚସ୍ପତି ମହିନ୍ଦା ଆପ୍ପା ଅଭୟବର୍ଦ୍ଧନେଙ୍କ ନିକଟକୁ ପଠାଇଥିଲେ ସୁଦ୍ଧା ଏହାର ବିଷୟବସ୍ତୁକୁ ସାର୍ବଜନୀନ କରାଯାଇନଥିଲା । ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ର୍ରମସିଂଘେ କାମଚଳା ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ତେବେ ଜୁଲାଇ ୨୨ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଘୋଷଣା ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ବିକ୍ରମସିଂଘେ ଏହି ଦାୟିତ୍ୱରେ ରହିବେ । ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ନେତା ସଜିଥ୍ ପ୍ରେମଦାସା ଘୋଷଣା କରିସାରିଛନ୍ତି । ଅପରପକ୍ଷରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶାନ୍ତିପୂର୍ଣ୍ଣଭାବେ ରାଷ୍ଟ୍ରପତି ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟ ସମ୍ପାଦନ କରିବାକୁ ଜାତିସଂଘ ପକ୍ଷରୁ ଶ୍ରୀଲଙ୍କାର ସବୁ ପ୍ରମୁଖ ରାଜନେତାଙ୍କୁ ପରାମର୍ଶ ଦିଆଯାଇଛି ।

Related Posts